ମୁଖ୍ୟ ଖବର

ଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଯୋଗୁଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ତାତିଲେ ଲୋକେ

By Angul TV Bureau

October 31, 2022

ପାଳଲହଡ଼ା: ପାଇପ ଲାଇନ କାମ ପାଇଁ ଦୁଇ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ। ରବିବାର ପାଳଲହଡ଼ା ବ୍ଲକ ସଇଡ଼ା ପଞ୍ଚାୟତ ଡାଲୋ ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ଘରୋଇ କମ୍ପାନୀର ପାଇପ ଲାଇନ କାର୍ଯ୍ୟ ଦିନ ଦିପ୍ରହରରେ ଚାଲିଥିବାରୁ ଯାତାୟାତ ବ୍ୟାହତ ହୋଇଛି। ରାସ୍ତା ଉପରେ ଜେସିବି ରଖି କାମ ଚାଲିଥିବାରୁ ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ଦୀର୍ଘ ୨ ଘଣ୍ଟା ଅଟକିଛି।

ସୂଚନା ମୁତାବକ, ପାଳଲହଡ଼ା ବ୍ଲକ ଉପାନ୍ତ ନଗିରା ଅଞ୍ଚଳରୁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟ ଅଣାଯାଉଥିଲା। କିନ୍ତୁ ବାଟରେ କେନ୍ଦୁଝରରୁ ଏକ ଘରୋଇ ପ୍ଲାଣ୍ଟକୁ ଆଇରନ ନେବା ପାଇଁ ପାଇପ କାର୍ଯ୍ୟ ଯୋଗୁଁ ଡାଲୋ ଗ୍ରାମ ମୁଖ୍ୟ ରାସ୍ତା ଉପରେ ଜେସିବି ରଖି କାର୍ଯ୍ୟ ଚାଲୁଥିବା ଯୋଗୁଁ ଯିବାକୁ ରାସ୍ତା ନ ଥିଲା। ଦୀର୍ଘ ଦୁଇ ଘଣ୍ଟା କାଳ ଆମ୍ବୁଲାନ୍ସ ଅଟକି ରହିବା ଯୋଗୁଁ ରୋଗୀର ସମ୍ପର୍କୀୟ ମାନେ ସମ୍ପୃକ୍ତ କମ୍ପାନୀର କର୍ମଚାରୀଙ୍କୁ ଜେସିବି ହଟାଇବା ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଜେସିବି ହଟିବାରୁ ଆମ୍ବୁଲାନ୍ସ ହସ୍ପିଟାଲ ଯାଇଥିଲା। ତେବେ ପାଇପ ଲାଇନ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେ କିଛି କରିନଥିଲେ। ଫଳରେ ଲୋକମାନେ ଅଧିକ ତାତିଥିବା ଜଣାଯାଇଛି।