ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡାରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ମାଛ ଜାଲରେ ଏକ ହାତୀ ଛୁଆ୧୨ ଘଣ୍ଟା ଫସି ରହିଥିଲା। ବିଭାଗୀୟ କର୍ତ୍ତୃପକ୍ଷ ବିଳମ୍ବରେ ପହଞ୍ଚିବାରୁ ଶେଷରେ ୧୨ ଘଣ୍ଟା ପରେ ଗାଁ ଲୋକେ ହାତୀ ଛୁଆକୁ ଉଦ୍ଧାର କରିଛନ୍ତି।
ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ପାଳଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ହରିପୁର ବ୍ରିଜ୍ ନିକଟ ରେଙ୍ଗାଳି ଜଳଭଣ୍ଡାର ସଂରକ୍ଷିତ ଜଳରାଶିରେ ଏକ ମାସର ହାତୀଛୁଆ ମାଛ ଜାଲରେ ଫସି ଯାଇଥିଲା। ସାରା ରାତି ହାତୀ ପଲ ଶାବକଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଗାଁରେ ଉତ୍ପାତ କରିଥିଲେ। ଆଜି ସକାଳ ୫ଟାରେ ମତ୍ସ୍ୟଜୀବୀମାନେ ଜାଲରୁ ମାଛ ଆଣିବାକୁ ଯାଇ ଜାଲରେ ହାତୀ ଛୁଆ ପଡ଼ିଥିବାର ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବିଦ୍ୟୁତ୍ ଆଘାତରେ କୌଣସି ଦୁର୍ଘଟଣା ନ ହେବା ଲାଗି ବନବିଭାଗ ବିଦ୍ୟୁତ୍ ଲାଇନ କାଟି ନିଜ ଦାୟିତ୍ୱ ସାରିଦେଇଥିଲେ।
ବନବିଭାଗ ବିଳମ୍ବରେ ଚଷାଗୁରୁଜାଙ୍ଗ/ ସିଆରିମାଳିଆ ବିଟ ବନପାଳ ରଂଜିତା ବେହେରା ୩-୪ ଜଣ ବନ କର୍ମଚାରୀ ସହିତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ବହୁ ବିଳମ୍ବରେ ପହଞ୍ଚିବାରୁ ଗ୍ରାମବାସୀମାନେ ପାଣି ଭିତରେ ଫସି ରହିଥିବା ହାତୀଛୁଆଟିକୁ ଜାଲ କାଟି ଉଦ୍ଧାର କରିଥିଲେ। ୧୨ ଘଣ୍ଟା ପାଣି ଭିତରେ ଥିବା ହାତୀ ଛୁଆ ଉଦ୍ଧାର ପରେ ବନବିଭାଗ ତାକୁ ପବିତ୍ରପୁର ଆମ୍ବ ତୋଟାରେ ଥିବା ହାତୀପଲଙ୍କ ନିକଟରେ ଛାଡ଼ିବାକୁ ଚେଷ୍ଟା କରୁଛି। କିନ୍ତୁ ହାତୀ ପଲ ଛୁଆ ସ୍ୱୀକାର କରୁନଥିବା ଜଣାପଡ଼ିଛି। ହାତୀପଲଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିଛି। ଯଦି ହାତୀଛୁଆଟିକୁ ହାତୀପଲ ସ୍ୱୀକାର ନ କରନ୍ତି ଶାବକଟିକୁ ଦେବଗଡ଼ ବନଖଣ୍ଡ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯିବ ବୋଲି ବାରକୋଟ ବନାଞ୍ଚଳ ଅଧିକାରୀ ଅନିଲ କୁମାର ନାଏକ କହିଛନ୍ତି।