ପ୍ରତିଭା ଓ ବ୍ୟକ୍ତିତ୍ୱ

ଭିଏତନାମରେ ଓଡ଼ିଶୀ ନୃତ୍ୟର ଚମକ: ସୁଶ୍ରୀ ସ୍ମୃତି ରେଖାଙ୍କୁ ଅନ୍ତର୍ଜାତୀୟ ସଫଳତା

By Angul TV Bureau

May 19, 2026

ଅନୁଗୁଳ: ବିଦେଶ ମାଟିରେ ପୁଣି ଚମକିଲା ଓଡ଼ିଶୀ ନୃତ୍ୟ। ଭିଏତନାମର ହନୋଇ ସହରରେ ଆୟୋଜିତ ଅନ୍ତର୍ଜାତୀୟ ନୃତ୍ୟ ପ୍ରତିଯୋଗିତାରେ ନାଲକୋନଗରର ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ସ୍ମୃତି ରେଖା ଚାନ୍ଦ ପ୍ରଥମ ସ୍ଥାନ ଅଧିକାର କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଚଳିତ ମାସ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ନୃତ୍ୟଧାମ୍ କଳା ସମିତି, ଭିଲାଇ’ ଦ୍ଵାରା ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ଅନେକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଓଡ଼ିଶୀ ନୃତ୍ୟ କନିଷ୍ଠ ବର୍ଗରେ ସ୍ମୃତି ରେଖା ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ସେ ନାଲକୋ ସରସ୍ୱତୀ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ରୀ ଏବଂ ପିତା ଦୁଷ୍ମନ୍ତ କୁମାର ଚାନ୍ଦ ଓ ମାତା ରୂପାଲି ଚାନ୍ଦଙ୍କ କନିଷ୍ଠା କନ୍ୟା।

ଗୁରୁ ଶ୍ରୀମତୀ ଅନିତା ରାଜଗୁରୁଙ୍କଠାରୁ ଦୀର୍ଘ ୫ ବର୍ଷ ଧରି ନୃତ୍ୟ ଶିକ୍ଷା କରୁଥିବା ସ୍ମୃତି ରେଖା ପୂର୍ବରୁ ଦୁବାଇ ଓ ଶ୍ରୀଲଙ୍କାରେ ମଧ୍ୟ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି। ଏହି ଅନ୍ତର୍ଜାତୀୟ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ଗୁରୁଜୀ-ଗୁରୁମା ଶୁଭେଚ୍ଛା ଜଣାଇଛନ୍ତି।