ଘଟଣା ଓ ଦୁର୍ଘଟଣା

ଗ୍ୟାରେଜ୍‌ରେ ଥିବା କାର୍ ଜଳିଗଲା

By Angul TV Bureau

March 18, 2021

ଅନୁଗୁଳ: ତାଳଚେର ସହରରେ ଘର ଗ୍ୟାରେଜରେ ଥିବା ଏକ କାର ବିଳମ୍ବିତ ରାତ୍ରିରେ ଜଳି ଯାଇଥିବାର ଜଣାପଡ଼ିଛି । କାରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇ ଗ୍ୟାରେଜଟି ଧୂଆଁମୟ ହୋଇଉଠିଥିଲା । ପ୍ରକାଶ ଯେ, ସହରର ଅମଲାପଡ଼ାରେ ରହୁଥିବା ନାଲକୋ କର୍ମଚାରୀ ଦିଲ୍ଲୀପ କୁମାର ବେଉରିଆ ସବୁଦିନ ପରି ନିଜ ଘର ଗ୍ୟାରେଜରେ ତାଙ୍କର ମାରୁତି ସିଫଟ ଡିଜାୟାର କାରଟି ରଖିଥିଲେ। ରାତିରେ ପରିବାର ବର୍ଗ ସମସ୍ତେ ଶୋଇ ଯାଇଥିଲେ । ଆଜି ସକାଳେ ଉଠିଲା ବେଳକୁ ଗ୍ୟାରେଜ ଧୂଆଁମୟ ହୋଇପଡ଼ିଥିବା ବେଳେ କାରଟି ସଂପୂର୍ଣ୍ଣ ପୋଡ଼ି ଯାଇଥିବାର ଦେଖୁବାକୁ ପାଇଥିଲେ । ଦୁଇବର୍ଷ ହେଲା ସେ କାରଟିକୁ କିଣିଥିଲେ ବୋଲି ଜଣାପଡ଼ିଛି । କେହି ଦୁର୍ବୃତ୍ତ ବିଳମ୍ବିତ ରାତ୍ରିରେ ଏହି କାରରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଦିଲ୍ଲୀପଙ୍କର କାହା ସହିତ ଶତୃତା ନଥିଲା ବେଳେ ଏପରି କାରପୋଡ଼ି ଘଟଣାର ତଦନ୍ତ ଚଳାଇଛି ପୁଲିସ । ମଣ୍ଡାପାଳ ଅଞ୍ଚଳରେ ନିଶାଖୋର ଯୁବକଙ୍କ ଉତ୍ପାତ ବୃଦ୍ଧି ପାଇଥିଲା ବେଳେ ସେମାନଙ୍କ ମଧ୍ୟରୁ କେହି ଏହି ଘଟଣା ଘଟାଇଥାଇ ପାରନ୍ତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।