ମୁଖ୍ୟ ଖବର

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ବଅଁରପାଳ କୋର୍ଟ ଉଦଘାଟିତ

By Swagatika Samantray

February 07, 2021

ଅନୁଗୁଳ:ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ବଅଁରପାଳ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ସିଭିଲ ଜଜ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ କୋର୍ଟ ଉଦଘାଟିତ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟକୁ ଲୋକାର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି କହିଲେ, ବର୍ତ୍ତମାନ ସମୟ ଆସିଛି ନୂତନ ଯୁବ ପିଢ଼ି ଉତ୍ତମ ଶିକ୍ଷା ଲାଭ କରି ନ୍ୟାୟାଳୟରେ ଯୋଗ ଦିଅନ୍ତୁ।କାର୍ଯ୍ୟ କରିବା ପାଇଁ। ନ୍ୟାୟାଳୟରେ ହିଁ ଦୋଷୀକୁ ଦଣ୍ଡ ମିଳେ ଓ ନିର୍ଦୋଷ ଛାଡ଼ ପାଇଥାଏ। ନ୍ୟାୟାଳୟରେ ଅନବରତ ନ୍ୟାୟ ପ୍ରଦାନ ସେବା ଯୋଗାଇ ଦିଆଯାଉଛି ଯାହାକୁ ନେଇ ଆମେ ଗର୍ବ ଅନୁଭବ କରିବା ଦରକାର । ଏଠାରେ ଧନୀ ଗରିବ ସମସ୍ତଙ୍କ ପାଇଁ ସମାନ ଆଖିରେ ଦେଖାଯାଏ।ସମାଜରେ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ବୋଲି କହିଛନ୍ତି। ସମ୍ମାନିତ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ପ୍ରମଥ ପଟନାୟକ ଯୋଗଦେଇ ନ୍ୟାୟାଳୟର ସମ୍ମାନ ଓ ମର୍ଯ୍ୟାଦା ସବୁବେଳେ ବଜାୟ ରଖିବାକୁ ଓକିଲମାନଙ୍କୁ ପରାମର୍ଶ ଦେଇଥିଲେ। ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ଅନୁଗୁଳ ଜିଲ୍ଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ। ସ୍ୱାଗତ ଭାଷଣ ଦେଇଥିଲେ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ପଟ୍ଟନାୟକ। ବରିଷ୍ଠ ଓକିଲ ଭାସ୍କର ଚନ୍ଦ୍ର ବେହେରା ଧନ୍ୟବାଦ୍ ଦେଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ଜଗମୋହନ ମିନା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିଙ୍କ ଗହଣରେ ବଅଁରପାଳ ଜେଏମଏଫସି ସୃଷ୍ଟି ସାମନ୍ତ ଏକ ମଦ ମାମଲାର ସାକ୍ଷ୍ୟ ଗ୍ରହଣ କରିଥଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ହେମନ୍ତ କୁମାର ସାହୁ, ଦୁଷ୍ମନ୍ତ କୁମାର ସେନାପତି, ବୃନ୍ଦାବନ ସାହୁ, ଶୁଭ୍ରଜିତ ବିଶୋଇ, ପ୍ରଫୁଲ୍ଲ ସାମଲ, ପ୍ରମୋଦ ସାମଲ, କାଳୀ ଚରଣ କର, ଅନୁଗୁଳ ଓକିଲ ସଂଘର ସଭାପତି ଦିଲ୍ଲୀପ ସାହୁ, ସମ୍ପାଦକ ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।