ମୁଖ୍ୟ ଖବର

‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ – ହକି ବିଶ୍ଵକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

By Angul TV Bureau

January 05, 2023

ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ ‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କରିଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିକୁ ଭଲ ପାଉଥିବା ସମସ୍ତ ଖେଳାଳି, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀ ଦେଶର ହକି କ୍ରୀଡ଼ାବିତ୍‌ଙ୍କୁ ଏହି ଷ୍ଟାଡିୟମକୁ ଉତ୍ସର୍ଗ କରୁଛି। ଏହା ହେଉଛି ଓଡ଼ିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର। ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ଼ ଶକ୍ତି ଭାବରେ ଗଢି ତୋଳିବ। ଏ ଷ୍ଟାଡିୟମ୍‌ ସାରା ବିଶ୍ଵ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇରହିବ ଏବଂ ଦେଶର ପ୍ରମୁଖ ଟିମ୍‌ଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଏବଂ ଭଲପାଇବା ଯୋଗୁ ଆମର ସ୍ୱପ୍ନ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ହକି ବିଶ୍ଵକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ରାଉରକେଲା ଗସ୍ତ ସମୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଖେଳାଳିଙ୍କୁ ଭେଟିଥିଲେ ମୁଖ୍ୟମୁନ୍ତ୍ରୀ। ପ୍ରଥମେ ରାଉରକେଲାରେ ପହଞ୍ଚି ସେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ ବୁଲି ଦେଖିଥିଲେ। ତା’ପରେ ବିଶ୍ଵକପ୍‌ ଗ୍ରାମର ଉଦ୍‌ଘାଟନ କରିଥିଲେ। ଏହା ପରେ ଭାରତୀୟ ହକି ଟିମ୍‌କୁ ଭେଟି ତାଙ୍କ ସହ କଥା ହୋଇଥିଲେ ନବୀନ। ପରେ ଖେଳାଳି ଓ ହକି ବିଶ୍ୱକପ୍‌ ମାସ୍କଟ୍‌ ଓଲି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ଉଠାଇଥିଲେ।