Law Judge Gavel And Legality Symbol

ମୁଖ୍ୟ ଖବର

୨୦୨୨ରେ ନାବାଳିକାକୁ ସ୍କୁଲରୁ ଟାଣି ନେଇ କରିଥିଲା ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ

By Angul TV Bureau

March 12, 2024

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ କୋର୍ଟ। ମଙ୍ଗଳବାର ଦିନ ଅନୁଗୁଳ ଆଡ଼ ହକ,ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ ଫାଷ୍ଟ ଟ୍ରାକ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ଗତ ୧୮.୧୦.୨୦୨୨ଦିନ ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମର ଜଣେ ନାବାଳିକା ସ୍ଥାନୀୟ ଏକ ସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ସମ୍ପୃକ୍ତ ନାବାଳିକା ଉକ୍ତଦିନ ସ୍କୁଲକୁ ଆସିଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ଛୁଟି ପରେ ଆଉ ସ୍କୁଲକୁ ଯାଇନଥିଲେ। ଫଳରେ ଉକ୍ତଦିନ ୩ଟା ସମୟରେ ଶିକ୍ଷୟିତ୍ରୀ ନାବାଳିକାର ପରିବାର ଲୋକଙ୍କୁ ଫୋନ ଯୋଗେ ଖବର ଦେଇଥିଲେ। ଖବର ପାଇ ନାବାଳିକାରର ବାପା ସ୍କୁଲକୁ ଆସି ପଚରାଉଚରା କରିବାରୁ ଉକ୍ତ ସ୍କୁଲରେ ପଢ଼ୁଥିବା ଜଣେ ସମ୍ପର୍କୀୟ ଛାତ୍ର କହିଥିଲା ଯେ ସମ୍ପୃକ୍ତା ନାବାଳିକାକୁ କେହି ଜଣେ ଟାଣି ଟାଣି ନେଇଯାଉଥିବାର ସେ ଦେଖିଥିଲା। ପରେ ନାବାଳିକାର ପରିବାର ଲୋକେ ବହୁ ଖୋଜାଖୋଜି କରି ଜାଣିବାକୁ ପାଇଥିଲେ ଯେ କଣ୍ଟାବଣିଆ ଗ୍ରାମର ସୌଭାଗ୍ୟ ବେହେରା ନାବାଳିକାକୁ ଜୋର ଜବରଦସ୍ତି କେଉଁ ଆଡେ ନେଇ ପଳାଇଛି। ଏନେଇ ନାବାଳିକାର ବାପା ବଅଁରପାଳ ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଦଫା ୩୬୩/୩୬୬/୩୭୬(୨)(ଏନ)/୩୭୬(୩)/୫୦୬/୩୪୧ପିସି ୬(୧)୮ପୋକସୋ ଆକ୍ଟରେ କେସ୍ ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ବହୁ ଖୋଜାଖୋଜି ପରେ ଅଭିଯୁକ୍ତ ସୌଭାଗ୍ୟ ବେହେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ଆଜି ଏହି ମାମଲାରେ ଆଡ଼ ହକ, ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ ଫାଷ୍ଟ ଟ୍ରାକ ବିରଞ୍ଚି ନାରାୟଣ ମିଶ୍ର ୧୦ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସୌଭାଗ୍ୟ ବେହେରା କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଆଉ ଅଧିକ ଏକ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡିସନାଲ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା କରୁଥିଲେ।