ମୁଖ୍ୟ ଖବର

ଡିଏମଏଫ ଦୁର୍ନୀତିର ସିଏଜି ଅଡିଟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲା ଜିଲ୍ଲା ବିଜେପି

By Angul TV Bureau

August 20, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡିଏମଏଫ ସମେତ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ଗୁରୁବାର ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ)ରେ ବ୍ୟାପକ ଦୁର୍ନୀତି, ମନଇଚ୍ଛା ପ୍ରକଳ୍ପ କରିବା, ଲୋକଙ୍କ ଆବଶ୍ୟକ ନଥାଇ ଶାସକ ଦଳର ଠିକାଦାର ପୋଷିବା ଭଳି ପ୍ରକଳ୍ପ କରିବା, ଟେଣ୍ଡର ନକରି ଡିପାର୍ଟମେଣ୍ଟାଲ କରି ଶାସକ ଦଳର କର୍ମୀଙ୍କ ଦ୍ଵାରା କାର୍ଯ୍ୟ କରାଇବା, ଜିଲ୍ଲା ପରିଷଦ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଗ୍ରାମସଭା, ପଲ୍ଲୀସଭା ଦ୍ଵାରା ନିଆ ଯାଇଥିବା ପ୍ରକଳ୍ପ ତଥା ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନେ ଦେଇଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଅଣଦେଖା କରିବା, ସମସ୍ତ ନୀତି ନିୟମକୁ ନ ମାନି କାର୍ଯ୍ୟକରିବା ଉପରେ ଆଲୋଚନା କରି ଏହାର ସିଏଜି ଦ୍ଵାରା ଅଡିଟ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେପିର ପ୍ରତିନିଧି ମଣ୍ଡଳୀରେ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ସୁଦୀପ ଗଡ଼ନାୟକ, ପ୍ରକାଶ ମହାରଣା, ପର୍ଶୁରାମ୍ ବାରିକ, ପ୍ରଶାନ୍ତ ନନ୍ଦ, ବିଶ୍ୱଜିତ ମିଶ୍ର, ମିଳାପ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ ଓ ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।