ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅପର୍ତିପୁର ଗାଁ ପାଖରେ ଆଜି ସକାଳ ୭ ଟା ବେଳେ ଏକ ମାଲବାହୀ ଟ୍ରେନକୁ ଏକ ରେଳ ଇଞ୍ଜିନ ଧକ୍କା ଦେଇଥିଲା। ସୂଚନା ଯେ, ନାଲକୋର ଏକ ଅଲୁମିନା ବୋଝେଇ ଟ୍ରେନ ଦାମନ ଯୋଡିରୁ ଅନୁଗୁଳ ନାଲକୋକୁ ଆସୁଥିଲା। ଏହି ମାଲବାହୀ ଟ୍ରେନକୁ ଏକ ଇଞ୍ଜିନ ବୁଢାପଙ୍କ ରେଳ ଷ୍ଟେସନରୁ ନାଲକୋକୁ ଆଣିବାକୁ ଯାଇଥିଲା। ଉଭୟ ରେଳ ଚାଳକଙ୍କ ଯୋଗା ଯୋଗ ଠିକ୍ ଭାବରେ ହୋଇ ନଥିଲା, ଫଳରେ ସମାନ ରେଳ ଟ୍ରକରେ ଉଭୟ ଟ୍ରେନ୍ ଓ ଇଞ୍ଜିନ ଆସୁଥିଲା। ସକାଳ ୭ ଟା ଅପର୍ତିପୁର ରେଳ ଫାଟକ ( ମନୁଷ୍ୟବିହନ)ରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ଯୋଗୁଁ ବହୁ ସମୟ ଧରି ରେଳ ଧାରଣାରେ ଟ୍ରେନ୍ ଅଟକି ରହିଥିଲା। ଫଳରେ ବଅଁରପାଳରୁ ଅପର୍ତିପୁର, ତାଳଚେର, ଥର୍ମାଲକୁ ଯାଉଥିବା ଗାଡି ମଟର ବନ୍ଦ ହୋଇଯାଇଥିଲା। ଏପରି କି ଲୋକ ମାନେ ଚାଲିକି ଯିବାକୁ ମଧ୍ୟ ରାସ୍ତା ନଥିଲା। ଦୀର୍ଘ ୨ ଘଣ୍ଟା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।