ମୁଖ୍ୟ ଖବର

ଇଭିଏମ/ ଭିଭିପ୍ୟାଟର ପ୍ରଥମ ରାଣ୍ଡାମାଇଯେସନ ପ୍ରକ୍ରିୟା ସମାପ୍ତ

By Angul TV Bureau

April 08, 2024

ଅନୁଗୁଳ: ଭାରତୀୟ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଆଦେଶ କ୍ରମେ ଆଜି ପୂର୍ବାହ୍ନରେ ଇଭିଏମ ଓ ଭିଭିପ୍ୟାଟର ରାଣ୍ଡାମାଇଯେସନ ପ୍ରକ୍ରୀୟା ଅନୁଗୁଳ ଜିଲ୍ଲାପାଳ ଆବ୍ଦାଲ ଏମ ଅଖତାରଙ୍କ ଅଧ୍ୟକ୍ଷତାରେ ଓ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ସ୍ଥାନୀୟ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଶେଷ ହୋଇଯାଇଛି। ଏହି ପ୍ରକ୍ରିୟା ଅନ୍ତର୍ଗତ ପ୍ରତିଟି ଏଭିଏମ୍/ ଭିଭିପ୍ୟାଟର କ୍ରମିକ ନମ୍ବରକୁ ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀ ସହ ଅନଲାଇନ ମାଧ୍ୟମରେ ସ୍ୱଚ୍ଛ, ନିରପେକ୍ଷ ଭାବରେ ସଂଯୋଗ କରାଗଲା। ଏହା ପରେ ସଂଯୋଗ ହୋଇଥିବା ପ୍ରତିଟି ଇଭିଏମ୍/ ଭିଭିପ୍ୟଟକୁ ସଂପୃକ୍ତ ନିର୍ବାଚନ ଅଧିକାରୀ ( Returning officer) ଙ୍କୁ ହସ୍ତାନ୍ତର କରାଯିବ। ଏହା ସହ ଜିଲ୍ଲାରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀକୁ ଇଭିଏମ୍ / ଭିଭିପ୍ୟଟର ଆବଣ୍ଟନ ପ୍ରକ୍ରିୟା ଚଳିତ ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶେଷ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତ ଚାଟାର୍ଜୀ, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁ, ଡେପୁଟି କଲେକ୍ଟର ମମତା ପ୍ରଧାନ,ଇ – ଗଭର୍ଣାନ୍ସ ପରିଚାଳକ ଦେବଦତ୍ତ ସାହୁ ସମେତ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।