ଘଟଣା ଓ ଦୁର୍ଘଟଣା

ଅନ୍‌ଲାଇନ୍ ସପିଙ୍ଗ କରି ଫସିଲେ ପୂର୍ବତନ ସେନା କର୍ମଚାରୀ

By Sanjeeb Biswal

February 25, 2021

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ ସୀମା ଟପିଛି ସାଇବର ଠକେଇ । ପୁଲିସ୍ ଅସହାୟ ହୋଇ ବସି ରହିଥିବା ବେଳେ ସାଇବର ଅପରାଧୀ ଦିନକୁ ଦିନ ଆତଙ୍କ ଖେଳାଇ ଚାଲିଛନ୍ତି । ଅନୁଗୁଳ ସହରର ଜଣେ ଅବସରପ୍ରାପ୍ତ ସେନା ଯବାନ ମଙ୍ଗଳବାର ସାଇବର ଠକେଇର ଶିକାର ହୋଇଛନ୍ତି । ଅନଲାଇନ୍ ସପିଙ୍ଗ କଲା ବେଳେ ଠକ ହାବୁଡ଼ରେ ପଡ଼ି ସେ ୧୫ ହଜାର ଟଙ୍କା ହରାଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଅନୁସନ୍ଧାନ ଚଳାଇଛି। ପୁଲିସ୍ ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ପ୍ରାକ୍ତନ ଯବାନ ହେଲେ ଜିତେନ୍ଦ୍ର କୁମାର ପ୍ରତାପସିଂହ । ତାଙ୍କ ଘର ଢେଙ୍କାନାଳ ପର୍ଜଙ୍ଗରେ, ସେ କିନ୍ତୁ ଅନୁଗୁଳ କଲେଜ ଛକ ନିକଟରେ ଘର ଭଡ଼ା ନେଇ ରହୁଛନ୍ତି। ଜିତେନ୍ଦ୍ର କିଛି ଦିନ ତଳେ ଓରିଭିଙ୍ଗ୍ ଅନଲାଇନ୍ ସପିଙ୍ଗ କମ୍ପାନିରୁ ସାର୍ଟ ମଗାଇଥିଲେ । ମାତ୍ର ତାଙ୍କ ପାଖକୁ ଠିକ୍ ଜିନିଷ ଆସିନଥିଲା। ତେଣୁ ସେ ଗୁଗୁଲରେ ଓରିଭିଙ୍ଗର ଗ୍ରାହକ ସେବା ନମ୍ବର ତଲାସିବା ବେଳେ ଠକ ହାବୁଡ଼ରେ ପଡ଼ିଥିଲେ।ଜିତେନ୍ଦ୍ର ଫୋନ ପେ ଜରିଆରେ ପେମେଣ୍ଟ କରିଥିବା କହିବା ପରେ ଫୋନ୍ ପେ ଅନ୍ କରିବାକୁ ଠକ କହିଥିଲା । ଠକ କଥାରେ ଭାସିଯାଇ ଜିତେନ୍ଦ୍ର ଫୋନ୍ ପେ’ ଅନ୍ କରିଥିଲେ । ତତ୍କ୍ଷଣାତ୍ ତାଙ୍କ ମୋବାଇଲକୁ ଏକ ନମ୍ବର ଆସିଥିଲା । ସେହି ନମ୍ବର ଉପରେ କ୍ଲିକ୍ କରିବାକୁ ଏକ ନିର୍ଦ୍ଦେଶ ଆସିଲା। ସେଇ ନମ୍ବରରେ କ୍ଲିକ୍ କରିବା କ୍ଷଣି ଜିତେନ୍ଦ୍ରଙ୍କ ଆକାଉଣ୍ଟରୁ ୧୫ ହଜାର ଟଙ୍କା କଟି ଯାଇଥିଲା । ଠକାମିରେ ପଡ଼ିଥିବା ଜାଣିବା ପରେ ଜିତେନ୍ଦ୍ର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।