ମୁଖ୍ୟ ଖବର

୬ରୁ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

By Angul TV Bureau

December 05, 2023

ଅନୁଗୁଳ: ରାଜ୍ୟପାଳ ରଘୁବର ଦାସଙ୍କ ଚଳିତ ମାସ ୬ ଓ ୭ ତାରିଖରେ ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ଗସ୍ତର କାର୍ଯ୍ୟସୂଚୀ ମୁତାବକ, ଚଳିତ ମାସ ୬ ତାରିଖ ପୂର୍ବାହ୍ନ ୧୦ ଟାରେ ନାଲ୍‌କୋ ଗେଷ୍ଟ ହାଉସ୍ ଠାରେ ରାଜ୍ୟପାଳ ପହଞ୍ଚିବେ। ପରେ ୧୦ ଟା ୪୫ ରେ ତୁରଙ୍ଗସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ୧୧ଟା ୪୫ ରେ ନାରୀ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହ ବାର୍ତ୍ତାଳାପ କରିବେ। ମଧ୍ୟାହ୍ନ ୧୨ ଟାରେ ଅନୁଗୁଳ ସହରର ରାଜକିଶୋରପଡ଼ା ସ୍ଥିତ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୧୨ଟା ୩୦ରେ ବାଜିରାଉତ ଛାତ୍ରାବାସ, ୧ ଟାରୁ ୧.୩୦ ମଧ୍ୟରେ ସ୍ମାର୍ଟ ପାର୍କ, ବ୍ଲାକ୍ ଡାଇମଣ୍ଡ ଓ ଏଆରସିର ଗସ୍ତ କାର୍ଯ୍ୟକ୍ରମ ରହିଛି। ପରେ ୪ ଟାରେ ତାଳଚେରର କନ୍ଧବେରେଣୀ ଆଶ୍ରମ ସ୍କୁଲ ଓ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପର ପରିଦର୍ଶନ କରିବେ। ୫ ଟାରେ ଧରମପୁର ସ୍ବାସ୍ଥ୍ୟ କେନ୍ଦ୍ର, ୬.୧୫ ମିନିଟ୍ ସମୟରେ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ମନ୍ଦିର ପରିଦର୍ଶନ କରି ନାଲ୍‌କୋ ଗେଷ୍ଟ ହାଉସ ଠାରେ ରାତ୍ରିଯାପନ କରିବେ।

୭ ତାରିଖ ପୂର୍ବାହ୍ନ ୮ ଟାରେ ଅନୁଗୁଳସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।

ବୈଠକରେ ମହାମହିମଙ୍କ ଗସ୍ତ କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ନିମନ୍ତେ ଅତିରିକ୍ତ ଉପ ଆରକ୍ଷୀ ଅଧୀକ୍ଷକ ପ୍ରତିଭା ମାଝୀ, ଅନୁଗୁଳ ଉପଖଣ୍ଡ ପୋଲିସ ଅଧିକାରୀ ରମାକାନ୍ତ ମହାଳିକ, ଭାରପ୍ରାପ୍ତ ଥାନାଧିକାରୀ ଧୃରେସ କୁମାର ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ଓ ତାଳଚେର ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।