ମୁଖ୍ୟ ଖବର

ଦଳିତ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା: ଅଭିଯୁକ୍ତ ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

By Angul TV Bureau

November 26, 2022

ଆଠମଲ୍ଲିକ: ଆଠମଲ୍ଲିକ ଏନଏସି ୭ ନମ୍ବର ୱାର୍ଡର ଦଳିତ ମହିଳାଙ୍କୁ ପୋଲିସର ଅମାନୁଷିକ ଭାବେ ମାଡ଼ ମାରିବା ଘଟଣାକୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୁରୁତ୍ୱର ସହ ନେଇଛନ୍ତି। ସେ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ଦାସ, ଏଏସଆଇ ନିରୋଜ କୁମାର ବେହେରା, ଏଏସଆଇ ମିଥୁନ ମଲ୍ଲିକ ଓ ହୋମଗାର୍ଡ ପ୍ରିୟରଞ୍ଜନ ସେଠିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆଠମଲ୍ଲିକ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଆଠମଲ୍ଲିକ ଥାନାରେ ୪ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ୨୮୫ ନମ୍ବର ରେ ସଙ୍ଗୀନ ଦଫା ସହ ଅନୁସୂଚିତ ଜାତି ଓ ଜନଜାତି ଦଫାରେ ମାମଲା ପଞ୍ଜିକରଣ ହୋଇଥିବା ଜଣାଯାଇଛି। ସେମାନଙ୍କ ବିରୋଧରେ ୪୫୨/ ୩୪୧/ ୩୨୩/ ୨୯୪/ ୫୦୬/ ୩୪ ଆଇପିସି ଓ ସ୍ୱତନ୍ତ୍ର ଆଇନ ୩(୧)(ଆର ) ଓ ୩ (୨ )(ଭିଏ )ରେ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀଙ୍କ ନାଁ ରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିବାରୁ ସେ ଆଠମଲ୍ଲିକ ଥାନାରେ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଲେ ଅନୁସନ୍ଧାନ ଦିଗକୁ ବାଟବଣା କରାଇବାର ସମ୍ଭାବନା ରହିଛି। ଏଣୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଶ୍ରୀ ଦାସଙ୍କୁ ଅନ୍ୟତ୍ର ବଦଳି କରିବାକୁ ସାଧାରଣରେ ଦାବି ହେଉଛି।

ଅନ୍ୟପଟେ ଶୁକ୍ରବାର ଅପରାହ୍ନରେ ପୀଡିତା କାଜଲ ମୁଖିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।