ମୁଖ୍ୟ ଖବର

ଖୁସି ଖବର ଦେଲେ ଇସ୍ରୋ ମୁଖ୍ୟ ! ୨୦୨୮ ଭିତରେ ଭାରତୀୟ ମହାକାଶ ଷ୍ଟେସନର ହେବ ପ୍ରଥମ ପର୍ଯ୍ୟାୟ

By Angul TV Bureau

June 30, 2024

ନୂଆଦିଲ୍ଲୀ: ୨୦୨୮ ସୁଦ୍ଧା ମହାକାଶ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ନିର୍ମାଣ ହେବ। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍ ସୋମନାଥ। ସେ କହିଛନ୍ତି, ଭାରତ ଏବେ ନିଜର ମହାକାଶ ଷ୍ଟେସନ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏ ଦିଗରେ ବିଭିନ୍ନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ୨୦୩୫ ସୁଦ୍ଧା ଭାରତର ନିଜସ୍ବ ମହାକାଶ ଷ୍ଟେସନ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ପ୍ରାରମ୍ଭରେ ଘୋଷଣା କରିଥିଲେ। କିନ୍ତୁ ଆମେ ଆଗୁଆ ତାହା ପୂରଣ କରିବୁ ବୋଲି ଇସ୍ରୋର ଅଧ୍ୟକ୍ଷ କହିଛନ୍ତି।

ଇସ୍ରୋର ଅଧ୍ୟକ୍ଷ କହିଛନ୍ତି, ‘ଆମେ ବର୍ତ୍ତମାନ ଏହାକୁ ଡିଜାଇନ୍ କରୁଛୁ। ସ୍ପେସ୍ ଷ୍ଟେସନର ପ୍ରଥମ ପର୍ଯ୍ୟାୟ ୨୦୨୮ ସୁଦ୍ଧା ନିର୍ମାଣ କରିବାକୁ ପଡ଼ିବ। ଆମେ ବିସ୍ତୃତ ଡିଜାଇନ୍ ସମ୍ପୂର୍ଣ୍ଣ କରିଛୁ ଏବଂ ଏହା ଏଲଭିଏମ୍‌ ୩ (ପ୍ରକ୍ଷେପଣ ଯାନ ମାର୍କ -୩) ଦ୍ୱାରା ପଠାଯାଇ ପାରିବ। ତେଣୁ ୨୦୨୮ରେ ଆମେ ପ୍ରଥମ ମଡ୍ୟୁଲ୍ ଲଞ୍ଚ୍‌ କରିବୁ। ସରକାରଙ୍କ ଅନୁମୋଦନ ପାଇଁ ତାଙ୍କ ଟିମ୍ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ଏବଂ ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିଛନ୍ତି। ଏହି ସ୍ପେସ୍ ଷ୍ଟେସନକୁ ପ୍ରଥମେ ରୋବୋଟିକ୍ କାର୍ଯ୍ୟକଳାପ ପରିଚାଳନା ପାଇଁ ପ୍ରସ୍ତୁତ କରାଯିବ। ଏହା କେବଳ ରୋବୋଟିକ୍ସ ହେବ କାରଣ ଏହା ଆମକୁ ମାନବ ମହାକାଶ ଯାତ୍ରା ପାଇଁ ସଫଳତା ଆଣିଦେବ। ସମସ୍ତ ପ୍ରକ୍ରିୟା ସହିତ ପୂର୍ଣ୍ଣାଙ୍ଗ ମହାକାଶ ଷ୍ଟେସନ ୨୦୩୫ରେ ହିଁ ସମ୍ଭବ ହେବ। ସେପର୍ଯ୍ୟନ୍ତ ମହାକାଶ ଷ୍ଟେସନକୁ ଏକ ବାହ୍ୟ ରୋବଟ୍ ବ୍ୟବସ୍ଥା ସହିତ ରୋବୋଟିକ୍ କାର୍ଯ୍ୟକଳାପ ପରିଚାଳନା କରିବା ପାଇଁ ବିକଶିତ ଏବଂ ଡିଜାଇନ୍ କରାଯିବ ବୋଲି ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି।