ଅନୁଗୁଳ: କଥାରେ ଅଛି- ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯାଏ। ଅନୁଗୁଳ ସହରରେ ଏହି କଥା ସ୍ପଷ୍ଟ ପ୍ରମାଣିତ ହୋଇଛି। ଏଠାରେ ଗତ ସପ୍ତାହରେ ଭିତରେ ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପ୍ରହରରେ ଲୁଟ କରୁଛନ୍ତି ଲୁଟେରା। ପୋଲିସ କଡ଼ା ପହରା ଦେଉଥିବା ଦାବି କରୁଥିଲେ ମଧ୍ୟ ଚୋରମାନେ କିନ୍ତୁ ତାଙ୍କ ଠାରୁ ଦୁଇ ପାଦ ଆଗୁଆ ଯାଇ ଚାଲାକି କରି ଲୋକଙ୍କ ମୂଲ୍ୟବାନ ଜିନିଷ ଲୁଟି ନେଉଛନ୍ତି।
ଆଜି ତ ସବୁ ସୀମା ଟପିଯାଇଛି। ଗୁରୁବାର ମାତ୍ର ଦୁଇ ଘଣ୍ଟା ବ୍ୟବଧାନରେ ସହରର ଛାତି ଉପରେ ଦୁଇ ଦୁଇଟି ଲୁଟ୍ ହୋଇଛି। ଦିନ ପ୍ରାୟ ୧୦:୪୫ରେ ଲକ୍ଷ୍ମୀ ବଜାରରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କ ବେକରୁ ହୀରା ଲକେଟ୍ ଲାଗିଥିବା ଦୁଇ ଭରି ଓଜନର ସୁନା ଚେନ ଝାମ୍ପି ନେଇଛନ୍ତି।
ଏହି ଘଟଣାରେ ପୋଲିସ ଖୋଳତାଡ଼ କରିବା ବେଳେ ପୁଣି ଆଉ ଏକ ଲୁଟ୍ ହେଉ ହେଉ ରହିଯାଇଛି। ସ୍ଥାନୀୟ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡରେ କାମ କରୁଥିବା ପଙ୍କଜ ଦତ୍ତ ନାମକ ଜଣେ ବ୍ୟକ୍ତି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାକୁ ଟଙ୍କା ଜମା କରିବାକୁ ଆସିଥିଲେ। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଟଙ୍କା ଜମା କରି ନ ପାରି ଫେରିବା ବେଳେ ୨ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ ଛଡାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଙ୍କଜ ପାଟି କରିବାରୁ ସେ ତାଙ୍କୁ ଛାଡ଼ି ପଳାଇଥିଲେ। ଚୋରମାନେ ଟଙ୍କା ନ ନେଇ ପାରିଥିଲେ ମଧ୍ୟ ଏଠାରେ ପୋଲିସର କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି।
ତେବେ କେବଳ ଏହି ଦୁଇଟି ଘଟଣା ନୁହେଁ। ସପ୍ତାହରେ ଭିତରେ ଆଉ ଦୁଇଟି ଲୁଟ ମଧ୍ୟ ହୋଇଛି, ଯାହା ପୋଲିସ ଉପରେ ପ୍ରଶ୍ନ ଉଠାଇଛି। ୭ ତାରିଖରେ ଦିନ ଦ୍ୱିପ୍ରହରରେ ବସଷ୍ଟାଣ୍ଡ ନିକଟରୁ ଲକ୍ଷାଧିକ ଟଙ୍କା ଓ ଗହଣା ଚୋରି ହୋଇଥିବା ବେଳେ ୨ ତାରିଖରେ ଜେଲ ନିକଟରୁ ଲକ୍ଷାଧିକ ଟଙ୍କା ଓ ସୁନା ମୁଦି ଚୋରି ହୋଇଥିଲା। ଆଜି ପର୍ଯ୍ୟନ୍ତ ପୋଲିସ ନା ଚୋରଙ୍କୁ ଧରି ପାରିଛି ନା ଗହଣା ଫେରାଇ ପାରିଛି। ଏହି କାରଣରୁ ଏବେ ଧୀରେ ଧୀରେ ପୋଲିସଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଲାନି। ତେଣୁ ଜିଲ୍ଲା ପୋଲିସ ଏ ଦିଗରେ ଦୃଷ୍ଟି ଦେଇ ପ୍ୟାଟ୍ରୋଲିଂ କଡ଼ା କଡ଼ି କରିବାକୁ ଦାବି ହେଉଛି।