ତାଳଚେର : ତାଳଚେର ଥର୍ମାଲ ପ୍ଲାଣ୍ଟରେ ଶିଳ୍ପ ନଗରୀ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ଦାବି କରି ଆନ୍ଦୋଳନରେ ବସିଥିବା ଶ୍ରମିକମାନେ ଆନ୍ଦୋଳନରୁ ଓହରିଛନ୍ତି। ଅମଲାପଡ଼ା ସ୍ଥିତ ଥର୍ମାଲ ପମ୍ପ ହାଉସ ଗେଟ୍ ନିକଟରେ ସଂଘର ସଭାପତି ଲିପିକା ବେହେରାଙ୍କ ନେତୃତ୍ୱରେ ଶ୍ରମିକମାନେ ସପରିବାର ଆନ୍ଦୋଳନରେ ବସିଥିଲେ। ଏନଟିପିସିର ଶ୍ରମିକ ମାରଣ ନୀତିକୁ ବିରୋଧ କରିବା ସହ ବିଭିନ୍ନ ନାରା ଦେଇ ଅବହେଳିତ ଶ୍ରମିକମାନେ ପ୍ରତିବାଦ କରିଥିଲେ। ଖବର ପାଇ ଆଜି ସଂଧ୍ୟାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଉପଜିଲ୍ଲାପାଳ ବିଶ୍ଵମୋହନ ରଥ ଆନ୍ଦୋଳନ ସ୍ଥଳକୁ ଆସି ଶ୍ରମିକଙ୍କୁ ବୁଝାଇଥିଲେ। ଚଳିତ ମାସ ୧୩ ତାରିଖ ଦିନ ହେବାକୁ ଥିବା ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ବୈଠକରେ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି।
ଏହି ଧାରଣାରେ ନଗରପାଳ ପବିତ୍ର ଭୁତିଆଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର, ସଂଘର ଉପଦେଷ୍ଟା ତପନ ମହାରଣା, ବାବୁନି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।