ମୁଖ୍ୟ ଖବର

ଅନୁଗୋଳ ପୌରପାଳିକା ଇତିହାସର ସର୍ବବୃହତ ପ୍ରକଳ୍ପ: ଶାନ୍ତିନଗରରେ ନିର୍ମାଣ ହେବ ୯୦ କୋଟିର ଏସ୍‌ଟିପି

By Biswaranjan Pattnaik

November 21, 2026

ଅନୁଗୋଳ: ଅନୁଗୋଳ ସହରର ଭିତ୍ତିଭୂମି ବିକାଶ ଓ ଜଳ ସଂରକ୍ଷଣ କ୍ଷେତ୍ରରେ ଯୋଡ଼ି ହେବ ଏକ ନୂଆ ଅଧ୍ୟାୟ। ସହରର ଲିଙ୍ଗରାଯୋଡ଼ି ନିକଟସ୍ଥ ଶାନ୍ତିନଗରଠାରେ ନିର୍ମାଣ ହେବ ଅନୁଗୋଳ ପୌରପାଳିକା ଇତିହାସର ସର୍ବବୃହତ ପ୍ରକଳ୍ପ। ପ୍ରାୟ ୯ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (STP) ପାଇଁ ମୋଟ ୯୦ କୋଟି ୨୪ ଲକ୍ଷ ୫୨ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଡିପିଆର୍‌କୁ ସରକାରୀ ଅନୁମୋଦନ ପାଇଁ ଓଡ଼ିଶା ୱାଟର ସପ୍ଲାଇ ଓ ସିୱେଜ୍ ବୋର୍ଡ ପକ୍ଷରୁ ଚିଠି ସଂଖ୍ୟା ୨୯୧୭, ତାରିଖ ୧୯.୧୧.୨୦୨୬ରେ ନଗର ଉନ୍ନୟନ ବିଭାଗକୁ ପଠାଯାଇଛି। ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ପୂର୍ବରୁ କିଛି ମାସ ତଳେ ବୋର୍ଡ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହି ପ୍ରକଳ୍ପ ମାଧ୍ୟମରେ ସହରର ବିଭିନ୍ନ ଅଞ୍ଚଳରୁ ବଡ଼ ବଡ଼ ଡ୍ରେନ୍ ଯୋଗେ ଆସୁଥିବା ଆବର୍ଜନାଯୁକ୍ତ ଜଳକୁ ଶାନ୍ତିନଗରସ୍ଥିତ ପ୍ଲାଣ୍ଟକୁ ଅଣାଯିବ। ସେଠାରେ ଅତ୍ୟାଧୁନିକ ପଦ୍ଧତିରେ ଜଳ ବିଶୋଧନ କରାଯାଇ ପୁନଃ ବ୍ୟବହାର ଉପଯୋଗୀ କରାଯିବ। ପ୍ରତିଦିନ ପ୍ରାୟ ୮୫ ଲକ୍ଷ ଲିଟର ଆବର୍ଜନାଯୁକ୍ତ ଜଳ ବିଶୋଧନ କରିବାର କ୍ଷମତା ଏହି ପ୍ଲାଣ୍ଟର ରହିବ।

ବିଶୋଧିତ ଜଳକୁ ପାନୀୟ ଜଳ ବ୍ୟତୀତ ଘରୋଇ କାର୍ଯ୍ୟ, ପରିମଳ ଓ କୃଷି କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଫଳରେ ଅନୁଗୋଳ ସହରରେ ଦେଖାଦେଉଥିବା ଜଳାଭାବ ସମସ୍ୟା ଦୂର କରିବା ସହ ଜଳର ପୁନଃ ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହନ ମିଳିବ।

କେବଳ ଜଳ ବିଶୋଧନରେ ଏହି ପ୍ରକଳ୍ପ ସୀମିତ ରହିବ ନାହିଁ। ପ୍ଲାଣ୍ଟର ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ କରାଯିବାର ମଧ୍ୟ ଯୋଜନା ରହିଛି। ଏହାଦ୍ୱାରା ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆସିବା ସହ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଅନୁଗୋଳ ଏକ ନୂଆ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି।