ଅନୁଗୁଳ: କୋଭିଡ କଟକଣା କୋହଳ ହେବା ପରେ ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ଅନୁଷ୍ଠିତ ହୋଇଛି ମାଲ୍ଯଗିରି ମହୋତ୍ସବ। ଉଦଘାଟନୀ ସନ୍ଧ୍ୟାରେ ଉପବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପାଳଲହଡାରେ ଥିବା ପର୍ଯ୍ଯଟନ ସ୍ଥଳର ବିକାଶ କରାଯାଇ ରାଜ୍ଯ ସ୍ତରରେ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ସକାଶେ ସମସ୍ତ ବ୍ଯବସ୍ଥା କରାଯିବ ବୋଲି କହିଥିଲେ। ସେହିପରି ବିଧାୟକ ତଥା ମାଲ୍ଯଗିରି ମହୋତ୍ସବ କମିଟିର ସଭାପତି ମୁକେଶ ପାଳ କହିଥିଲେ। ମହୋତ୍ସବ ଜରିଆରେ ପାଳଲହଡାର ବିକାଶ ହେବା ସହିତ ଅଞ୍ଚଳରେ ଭାଇଚାରା ସୃଷ୍ଟି କରିବା ସମ୍ଭବ ହେବ।
ମହୋତ୍ସବରେ ଗୋଟିପୁଅ ନୃତ୍ୟ, ଭୁବନେଶ୍ଵରର ରେକର୍ଡ ଡ୍ୟାନ୍ସ, କଣ୍ଠଶିଳ୍ପୀ ଶ୍ରୀଜିତା, କମେଡିଆନ ନନସେନ୍ସ ମଣିଙ୍କ କମେଡି ଦର୍ଶକଙ୍କ ମନକୁ ଛୁଇଁଥିଲା। ଏ ଅବସରରେ ଡିମିରିଆ ହାଇସ୍କୁଲ ଛାତ୍ରଛାତ୍ରୀ ମା’ କୁଣ୍ଢେଇବିରାଙ୍କ ଉପରେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ସମ୍ବଲପୁରୀ, ସାନ୍ତାଳୀ ଏବଂ ନୂଆଖାଇ ନୃତ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।
ଦ୍ଵିତୀୟ ସନ୍ଧ୍ୟାରେ କମେଡିଆନ ଫନି ଅନୁଗୁଳିଆଙ୍କ ଦ୍ୱାରା ଗୁଆଘିଅ ଗୀତରେ ସ୍ମସାଟେ ଝୁମିଥିଲେ। ଏଥିସହ ନଭ୍ଯା ଯାଇତି ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ।
ତୃତୀୟ ସନ୍ଧ୍ୟାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ମାଲ୍ଯଗିରି ମହୋତ୍ସବ ଏକ ମାଧ୍ୟମ ଯାହା ଦ୍ୱାରା କଳାକାର ମାନେ ନିଜ କଳାକୃତିକୁ ଲୋକ ଲୋଚନକୁ ଆଣି ପାରିଛନ୍ତି ବୋଲି କହିଥିଲେ। ଶେଷ ସନ୍ଧ୍ୟାରେ ଅନ୍ଯତମ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏ ଅବସରରେ ଓଡ଼ିଆ କଣ୍ଠ ଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଗୀତରେ ଦର୍ଶକ ମନ ଭରି ଝୁମିଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ଲୋକ ମହୋତ୍ସବକୁ ମନ ଭରି ଉପଭୋଗ କରିଥିଲେ।