ମୁଖ୍ୟ ଖବର

ପାଳଲହଡ଼ାରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଡାକ୍ତର ନ ଥିବାରୁ ନର୍ସ ଓ ଆୟୁଷ ଡାକ୍ତର ଯୋଗାଉଛନ୍ତି ସ୍ୱାସ୍ଥ୍ୟ ସେବା

By Angul TV Bureau

November 25, 2022

ପାଳଲହଡ଼ା: ଲୋକଙ୍କୁ ସହଜରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପାଳଲହଡା ବ୍ଲକର ବିଭିନ୍ନ ସ୍ଥାନରେ ସରକାର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନ ଖୋଲିଛନ୍ତି। କିନ୍ତୁ କିଛି ନେତା ଓ ଅଫିସରଙ୍କ ହୀନ ମାନସିକତା ପାଇଁ ଏଠାରେ ବିଭିନ୍ନ ପଦପଦବୀ ଖାଲି ରହିଛି। ଫଳରେ ସାଧାରଣ ଲୋକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।

ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଝାରବେଡା ସ୍ୱାସ୍ଥ୍ୟ କେନ୍ଦ୍ର, ଜମରଡିହ ସ୍ୱାସ୍ଥ୍ୟ କେନ୍ଦ୍ର, ଚଷା ଗୁରୁଜାଙ୍ଗ, ସହର ଗୁରୁଜାଙ୍ଗ, ରଜଡଙ୍ଗ ଆଦିରେ ବିଭିନ୍ନ ପଦପଦବୀ ଖାଲି ଥିବା ଦେଖିବାକୁ ମିଳିଛି। କେଉଁଠି ଫାର୍ମାସିଷ୍ଟ ତ କେଉଁଠି ନର୍ସ ତ ଆଉ କେଉଁଠି ଆୟୁଷ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ଚାଲିଛି। ଝାରବେଡା ସ୍ୱାସ୍ଥ୍ୟ କେନ୍ଦ୍ର ୧୯୯୪ ମସିହା ରେ ତିଆରି ହୋଇଥିଲେ ମଧ୍ୟ ସରକାର, ସ୍ଥାନୀୟ ନେତା ଓ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଅବହେଳା ଯୋଗୁ ଏଠାରେ ନିୟୋଜିତ ଥିବା ଡାକ୍ତରଙ୍କୁ ଅନ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି। କିନ୍ତୁ ସେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଦରମା ପାଉଥିବା ଜଣାଯାଇଛି। କେବଳ ଜଣେ ଫାର୍ମାସିଷ୍ଟଙ୍କ ସହିତ ତିନି ଜଣ ଏଏନ୍ଏମ୍‌ଙ୍କ ଦ୍ଵାରା ଏଠାରେ ସ୍ୱାସ୍ଥ୍ୟ ସେବା ଚାଲିଛି।

ସ୍ଥାନୀୟ ଅଧିବାସୀ ଅତ୍ୟନ୍ତ ଗରିବ ଓ ଆଦିବାସୀ ଶ୍ରେଣୀର। ଏଥିସହ ଗମନାଗମନର ସୁବିଧା ମଧ୍ୟ ସବୁ ସମୟରେ ନାହିଁ। ଡାକ୍ତରଖାନାକୁ ଯିବାକୁ ହେଲେ ଭଡ଼ା ଗାଡ଼ିରେ ଯିବାକୁ ପଡେ। ତେଣୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ନେହୁରା ହୋଇଛନ୍ତି।