ମୁଖ୍ୟ ଖବର

ଆକାଶରୁ ବରଷୁଛି ନିଆଁ, କାଳବୈଶାଖୀ ନେଇ ସତର୍କ କଲା ପାଣିପାଗ ବିଭାଗ

By Angul TV Bureau

April 20, 2022

ଅନୁଗୁଳ/ଭୁବନେଶ୍ୱର: ଏବେ ପୂରା ରାଜ୍ୟ ଖରାରେ ତାତୁଥିବା ବେଳେ କାଳବୈଶାଖୀ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଜି ଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିପାରେ ବୋଲି ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ରହିଛି। କାଳବୈଶାଖୀ ବେଳେ ଲୋକଙ୍କ ଧନଜୀବନର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଏଣୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି।

ଆଗାମୀ ଦୁଇ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଯାଏଁ ଅଧିକ ତାପମାତ୍ରା ରହିବା ସମ୍ଭାବନା ରହିଛି। ଆଜି ମଧ୍ୟ ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ଆଜି ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଉଛି। ବଲାଙ୍ଗିରରେ ୪୪.୩, ଟିଟିଲାଗଡ଼ରେ ୪୩.୫, ଅନୁଗୁଳରେ ୪୩.୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର। ଆଜି ୨୧ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠରୁ ଅଧିକ ରେକର୍ଡ ହୋଇଛି ।