ମୁଖ୍ୟ ଖବର

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ, ୧୨ ରୁ ପୁଣି ବଢିବ ବର୍ଷା: ୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ, ବିଜୁଳି ଘଡଘଡି ଆଶଙ୍କା

By Angul TV Bureau

July 10, 2026

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ କହିବା ଅନୁସାରେ, ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ।

୯ ରୁ ୧୨ ତାରିଖ ଯାଏଁ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ଆଜି ୯ ତାରିଖରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇଛି।

ଆଗାମୀ ୩ ଦିନ ଯାଏଁ ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୬ ଜିଲ୍ଲାରେ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ସେଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଅନୁଗୁଳ। ଏହି ସବୁ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡି ହୋଇପାରେ। ରାଜ୍ୟର ବାକି ସମସ୍ତ ଜିଲ୍ଲାରେ ପାଣିପାଗ ସ୍ଵାଭାବିକ ରହିବ।

ଉତ୍ତର ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଓ ଘଡଘଡି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଗତ ୨୪ ଘଣ୍ଟାରେ ନୟାଗଡ଼ ଓ ରାଉରକେଲାରେ ସାମାନ୍ୟ ବର୍ଷା ରେକର୍ଡ ହୋଇଛି। ବର୍ଷା ନ ଥିବାରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ଖସିଛି। ତେବେ ବୈତରଣୀର ଆଖୁଆପଦାଠାରେ ନଦୀ ଜଳସ୍ତର ସାମାନ୍ୟ ଅଧିକ ରହିଛି।