ମୁଖ୍ୟ ଖବର

ଆଠମଲ୍ଲିକରେ ବିଜେଡି ଦୁଇ ଭାଗ: ଅଲଗା ଅଲଗା ପ୍ରବାଦ ପୁରୁଷଙ୍କ ତିରୋଧାନ ଦିବସ ପାଳିଲେ ଦଳୀୟ କର୍ମୀ

By Angul TV Bureau

April 17, 2023

ଆଠମଲ୍ଲିକ : ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଭାଗରେ ପାଳିତ ହୋଇଛି। ଗୋଟେ ପଟେ ବିଧାୟକ ରମେଶ ଚନ୍ଦ୍ର ସାଏ ଟିକରପଡାରେ ହାତଗଣତି ନିର୍ବାଚିତ ସରପଞ୍ଚ ଓ ସମର୍ଥକଙ୍କୁ ନେଇ ତିରୋଧାନ ଦିବସ ପାଳନ କରିଥିବା ବେଳେ ବିଧାୟକଙ୍କୁ ବିରୋଧ କରୁଥିବା ସମସ୍ତ ଲୋକପ୍ରତିନିଧି ବେଲପୁଞ୍ଜି ମଠ ନିକଟ ମହାନଦୀ କୂଳରେ ତିଳ ତର୍ପଣ କରିଛନ୍ତି। ବିଧାନସଭା ନିର୍ବାଚନମଣ୍ଡଳୀ ବିଜୁ ଛାତ୍ର ଜନତା ଦଳ ସଭାପତି ହିମାଂଶୁ ଶେଖର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ତିଳ ତର୍ପଣ କାର୍ଯ୍ୟକ୍ରମରେ କର୍ତ୍ତାଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ଆଠମଲ୍ଲିକ ଏନଏସି ଉପାଧ୍ୟକ୍ଷ ଗଦାଧର ସ୍ୱାଇଁ ଓ କିଶୋରନଗର ବ୍ଲକ ବରିଷ୍ଠ ବିଜେଡି ନେତା ତପନ କୁମାର ସାହୁ ପୂଜାର୍ଚ୍ଚନା କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ବବିତା ପ୍ରଧାନ, ଆଠମଲ୍ଲିକ ଏନଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ, କିଶୋରନଗର ବ୍ଲକ ଅଧ୍ୟକ୍ଷା ସୈରୀନ୍ଦ୍ରୀ ପଧାନ, ୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରେଖା ମାହାର, ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ବବିତା କର୍ଣ୍ଣ, ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଅନୁପମା ସାହୁ, ୧୩ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ପ୍ରଧାନ, କିଶୋରନଗର ବ୍ଲକ ବିଜେଡି ସଭାପତି କୁମୁଦ ପ୍ରଧାନ, ଆଠମଲ୍ଲିକ ଏନଏସି ନଗର ସଭାପତି ପ୍ରଦୀପ କୁମାର ଦାସଙ୍କ ସମେତ ୨ ବ୍ଲକର ୪୭ ଜଣ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ଙ୍କ ମଧ୍ୟରୁ ୩୫ ରୁ ଊର୍ଦ୍ଧ୍ଵ ସରପଞ୍ଚ ଓ ୩୦ରୁ ଊର୍ଦ୍ଧ୍ଵ ସମିତିସଭ୍ୟ/ସଭ୍ୟା ଓ ଶହଶହ ସଂଖ୍ୟାରେ ବିଜୁପ୍ରେମୀ ଯୋଗ ଦେଇଥିଲେ।

ସେଠାରୁ ମାଧପୁର ଆସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ପରେ ମାଧପୁର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ ୬୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ମାଧପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମୁତିସଭା ଆୟୋଜିତ ହୋଇଥିଲା। ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଶତାଧିକ ବିଜେଡି କର୍ମୀ ସମୂହ ଦୀପଦାନ କରିଥିଲେ।