ଘଟଣା ଓ ଦୁର୍ଘଟଣା

କିଶୋରନଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ

By Angul TV Bureau

March 21, 2021

ଅନୁଗୁଳ: ବାପ-ପୁଅଙ୍କୁ ହତ୍ୟା ଧମକ ଦେଇ ଘରବାଡ଼ିରେ ପାର୍କିଂ ହୋଇଥିବା ଏକ ପିକଅପ୍ ଭ୍ୟାନ୍ ଲୁଟିନେଇଛନ୍ତି ଦୁର୍ବୃତ୍ତ । ରାତି ସାରା ଗୋଡ଼ାଇ ବିଫଳ ହେବା ପରେ ଶନିବାର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ। ଗତ ବିଳମ୍ବିତ ରାତିରେ କିଶୋରନଗର ଥାନା ଅନ୍ତର୍ଗତ ଦୋହଲି ଗ୍ରାମରେ ଏହି ଘଟଣା ସ୍ଥାନୀୟ ଇଲାକାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୋହଲି ଗ୍ରାମର ଅଲେଖ ବିଶ୍ବାଳ ଘର ପଛପାଖରେ ସବୁଦିନ ଭଳି ତାଙ୍କର ବଲେରୋ ଓ ପିକଅପ ଭ୍ୟାନ୍ ଗତ ରାତିରେ ପାର୍କିଂ ହୋଇଥିଲା । ଗତ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ୮/୧୦ ଜଣ ଦୁର୍ବୃତ୍ତ ଦୁଇଟି ଚାରି ଚକିଆ ଗାଡିରେ ଆସି ପିକଅପର ଲକ୍  ଭାଙ୍ଗି ଷ୍ଟାର୍ଟ କରିଥିଲେ । ଗାଡ଼ି ଶବ୍ଦ ଶୁଣି ଘରେ ଶୋଇଥିବା ଶ୍ରୀ ବିଶ୍ୱାଳ ପଦାକୁ ବାହାରି ପଡିଥିଲେ । ତାଙ୍କ ଗାଡ଼ିକୁ କେହି ନେଇ ଯାଉଥିବା ଦେଖିବା ପରେ ସାନପୁଅ ଶ୍ରୀକୃଷ୍ଣଙ୍କୁ ଡାକି ଗାଡିର ପିଛା କରିଥିଲେ । ଏ ସମ୍ପର୍କରେ କିଶୋରନଗର ଓ କିଆକଟା ଥାନାକୁ ମଧ୍ୟ ଖବର ଦେଇଥିଲେ । ତେବେ ଭ୍ୟାନ୍‌ର ଆଗ ଓ ପଛରେ ଦୁଇଟି ଚାରିଚକିଆ ଗାଡିରେ ଦୁର୍ବୃତ୍ତମାନେ ପାଇଲଟିଂ କରୁଥିଲେ । ଆଗରେ କିଆକଟା ଥାନା ପୁଲିସ୍ ରାସ୍ତା ଉପରେ ଛକିରହିଥିବା ଜାଣିପାରି ଗାଡିର ଦିଗ ବଦଳାଇ ଫେରିଆସିଥିଲେ ଦୁର୍ବୃତ୍ତ। ଶ୍ରୀ ବିଶ୍ବାଳ ଓ ତାଙ୍କ ପୁଅ ଶ୍ରୀକୃଷ୍ଣ ବାରେଣୀ ଛକ ଠାରୁ ୨ କିଲୋମିଟର ଦୂରରେ ପିକ୍ଅପ୍ ଗାଡିକୁ ଦେଖି ପିଛା କରିବାକୁ ପାଇଲଟିଂ ଗାଡିରେ ଥିବା ଦୁର୍ବୃତ୍ତମାନେ ଜୀବନରେ ମାରିଦେବାକୁ ବାପପୁଅଙ୍କୁ ଧମକ ଦେଇଥିଲେ। ନିରୁପାୟ ହୋଇ ଶ୍ରୀ ବିଶ୍ବାଳଙ୍କ ପକ୍ଷରୁ କିଶୋରନଗର ଥାନାରେ ଲିଖିତ ଅଭିଯୋଗ ହୋଇଥଲା।କିଶୋରନଗର ଥାନା ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁକରି ଅନୁସନ୍ଧାନ ଚଳାଇଛି।