ଅନ୍ୟାନ୍ୟ

ମଞ୍ଚସ୍ଥ ହେଲା ନାଟକ ‘ସମର ତରଙ୍ଗ’: ଜୀବନ୍ତ ଅଭିନୟ ମାଧ୍ୟମରେ ଷାଠିଏ ବାଟିଆ ଯୁଦ୍ଧର କାହାଣୀକୁ ଅତି ନିଖୁଣ ଭାବେ ଦେଖାଇଲେ କଳାକାର

By Angul TV Bureau

August 21, 2023

ଅନୁଗୁଳ: ଅନୁଗୁଳର ଅନ୍ୟତମ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଆମ ସଂସ୍କୃତି ପକ୍ଷରୁ ରବିବାର ସ୍ଥାନୀୟ ସଭାଘରଠାରେ ଗୀତିନାଟ୍ୟ ସମର ତରଙ୍ଗ ଅନୁଷ୍ଠିତ ହୋଇଛି। ଉଦଘାଟନ ଉତ୍ସବରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବି ବ୍ରଜନାଥ ବଡ଼ଜେନାଙ୍କ ରଚିତ ସମର କାବ୍ୟ ସମର ତରଙ୍ଗ ଗୀତିନାଟ୍ୟରେ ରୂପାନ୍ତରିତ ହେବା ଏକ ଜୀବନ୍ତ ଅଭିନୟରେ ପରିସ୍ପଟ ହେବା ବାସ୍ତବିକ ପ୍ରଶଂସନୀୟ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ତ୍ରିଲୋଚନ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ଅଧ୍ୟାପିକା ଡ଼ ଇନ୍ଦିରା ଦାଶ, ନୃତ୍ୟଗୁରୁ ଅନିତା ସିଂହଦେଓ, ଆମ ସଂସ୍କୃତିର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦ, କଳାକାର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ, କଳା ପରିଷଦର ସଭାପତି ନାଟ୍ୟକାର ଦିଲେଶ୍ଵର ମହାରଣା, ନାଟ୍ୟଶିଳ୍ପୀ ଶରତ ମାଝୀ, ନାଟ୍ୟ ନିର୍ଦ୍ଦେଶକ ଶତ୍ରୁଘ୍ନ ମାଟି ଯୋଗ ଦେଇ ଗୀତିନାଟ୍ୟ ସମର ତରଙ୍ଗ, ନାଟକ ନାଟ୍ୟକାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ପେସକସକୁ ନେଇ ମରହଟା ଓ ଢେଙ୍କାନାଳ ସୈନ୍ୟ ମାନଙ୍କ ମଧ୍ୟରେ ବାରମ୍ବାର ହୋଇଥିବା ଯୁଦ୍ଧକୁ ଆଧାର କରି ନାଟକ ଗତିଶୀଳ। ଷାଠିଏ ବଟିଆ ଯୁଦ୍ଧରେ ପରାସ୍ତ ପରେ ମରହଟା ମାନେ ଓଡ଼ିଶା ଛାଡିବାକୁ ବାଧ୍ୟ ହୋଇଥିଲେ। ତାହାକୁ ନାଟକରେ ଅତି ସୁନ୍ଦର ଭାବେ ଦର୍ଶାଯାଇଥିଲା। ପ୍ରଥମ ଗଦ୍ୟସ୍ରଷ୍ଟା କବି ବ୍ରଜନାଥ ବଡ଼ଜେନାଙ୍କ ରଚିତ ସମର ତରଙ୍ଗକୁ ଗୀତିନାଟ୍ୟରେ ସଜାଇଥିଲେ ନାଟ୍ୟକାର ଅବନୀ କୁମାର ମିଶ୍ର। ୪୦୦ରୁ ଊର୍ଦ୍ଧ୍ଵ କଳାପ୍ରେମୀ ଏ ଅବସରରେ ଉପସ୍ଥିତ ରହି ନାଟକର ଆନନ୍ଦ ଉଠାଇଥିଲେ ଅନୁଷ୍ଠାନର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମକୁ ରାଜ୍ୟ କଳା ଓ ସଂସ୍କୃତି ସଂଘ ଉପ-ସଭାପତି ଅବନୀ ମିଶ୍ର ସଂଚାଳନ କରିଥିଲେ।