ଅନ୍ୟାନ୍ୟ

୨ବର୍ଷ ପରେ ପ୍ରାଥମିକ ପିଲା ସ୍କୁଲ ହତା ମାଡ଼ିବେ

By Angul TV Bureau

February 04, 2022

ଅନୁଗୁଳ: ପ୍ରାୟ ୨ବର୍ଷ ପରେ ବିଦ୍ୟାଳୟ ହତା ମାଡ଼ିବେ ପ୍ରାଥମିକ ସ୍କୁଲ ପିଲା। କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ୨୦୨୦ ମାର୍ଚ୍ଚ ୧୫ରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଥିଲା। କରୋନାର ଦ୍ବିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲା। ଏହାପରେ ନବମ, ଏକାଦଶ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ପରେ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିଥିଲା। ତେବେ ସମସ୍ତ ଶିକ୍ଷାନୁଷ୍ଠାନରେ ଉଭୟ ଅଫ୍‌ଲାଇନ ଓ ଅନ୍‌ଲାଇନ୍ ପାଠପଢ଼ା ଜାରି ରହିଥିଲା। ପ୍ରାଥମିକ ପିଲାଙ୍କ ପାଇଁ ଜାନୁୟାରୀ ୩ରୁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ କରୋନା ତୃତୀୟ ଲହର ପୁଣି ଏହି ନିଷ୍ପତ୍ତିକୁ ବଦଳାଇ ଦେଇଥିଲା । ପ୍ରଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ବନ୍ଦ କରିଦେଇଥିଲେ। ତେବେ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସବୁଠି ଦାବି ହୋଇଆସୁଥିଲା। ଏପରି କି ଏ ନେଇ ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ବୁଧବାର ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଦୁଇମାସ ମଧ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆସନ୍ତା ୧୪ ତାରିଖରୁ ସମସ୍ତ ପ୍ରଥମିକ ବିଦ୍ୟାଳଗୁଡିକରେ ପାଠପଢ଼ା ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି।