ମୁଖ୍ୟ ଖବର

ଜିଲ୍ଲାରେ ନକଲି ଶିକ୍ଷକ ରାକେଟ ଚେର ଲମ୍ବିଛି: ପୁଣି ଧରା ପଡ଼ିବେ

By Biswaranjan Pattnaik

November 26, 2024

ଅନୁଗୁଳ: ଗତ ୨୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଲିଖିତ ଏତଲା ଉପରେ ଛେଣ୍ଡିପଦା ସନ୍ତରାବନ୍ଧ ଅଞ୍ଚଳର ଜଣେ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଖବର ପାଇ ଫେରାର ହୋଇଯାଇଛନ୍ତି। ଗତ ୮ ବର୍ଷ ଧରି ସେମାନେ ସରକାରୀ ତହବିଲରୁ ଦରମା ମଧ୍ୟ ଉଠାଇଥିଲେ। ସବୁଠାରୁ ବଡ଼ କଥା ହେଲା ନଭେମ୍ବର ୨୦୧୯ ମସିହାରେ ବିଧାନସଭାରେ ତଦାନିନ୍ତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାନସଭାରେ ମୋଟ ୨୧୭ ଜଣ ନକଲି ଶିକ୍ଷକ ଠାବ ହୋଇଛନ୍ତି ଏବଂ ସରକାର ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ବୋଲି କହିଥିଲେ। ସେତେବେଳେ ସେକେଣ୍ଡାରୀ ଲେଭେଲରେ ଅନୁଗୁଳର ୫ ଜଣ ନକଲି ଶିକ୍ଷକ ଠାବ ହୋଇଥିବା ଘୋଷଣା କରାଯାଇଥିଲା।

ଏହା ପରଠାରୁ କଣ ହେଲା କେଜାଣି ତଦନ୍ତ ପ୍ରକ୍ରିୟା ଶୀତଳ ଭଣ୍ଡାରକୁ ଚାଲିଗଲା। ଯେଉଁ ମାନେ ଟିକେ ଜିଲ୍ଲା ଅଫିସରୁ ସୁରାକ ପାଇଲେ ସେମାନେ ଇସ୍ତଫା ଦେଇ ଜିଲ୍ଲା ଛାଡ଼ି ପଳାଇଲେ। ଆଉ କିଛି ଅଗ୍ରୀମ ଜାମିନ ଆଣି ବୁଲିଲେ। କିନ୍ତୁ ଶିକ୍ଷା ଅଧିକାରୀ ମାନେ ବର୍ଷକୁ ବର୍ଷ ନିଯୁକ୍ତି ପାଉଥିବା ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଆଉ ଛାନଭିନ କଲେ ନାହିଁ।ନକଲି ସାର୍ଟିଫିକେଟ ରାକେଟ ପୁଣି ବଢିଚାଲିଲା। ବିଶେଷ କରି ଓଡିଶା ବାହାର ବିଶ୍ଵବିଦ୍ୟାଳୟ ଗୁଡିକରୁ ଯେଉଁ ମାନେ ସାର୍ଟିଫିକେଟ ଦାଖଲ କରିଥିଲେ ସେମାନଙ୍କ ଉପରେ ସନ୍ଦେହ ବଢିଲା।

କିନ୍ତୁ ଅଧିକାରୀ ମାନେ ସବୁ ଜାଣିଥିଲେ ମଧ୍ୟ ଚୁପ୍ ରହିଲେ। ସବୁଠାରୁ ଗୁରୁତର କଥା ହେଲା ବାହାରୁ ନକଲି ସାର୍ଟିଫିକେଟ ଆଣିଥିବା ପିଲା ଅଧିକ ମାର୍କ ଦେଖାଇ ଚାକିରି ପାଇଥିବା ବେଳେ ଆମ ଜିଲ୍ଲାର ପିଲା ଆଜି ଯାଏ ସିଟି, ଡ଼ିଆଇଇଟି, ବିଏଡ୍ କରି ଘରେ ବସିଛନ୍ତି। ଏଥିପାଇଁ ଦାୟୀ କିଏ?

ବିଶ୍ଵସ୍ତ ସୂତ୍ର ରୁ ମିଳିଥିବା ଖବର ଅନୁସାରେ ଏବେବି ଅନୁଗୁଳ ଜିଲ୍ଲାରେ ନକଲି ଶିକ୍ଷକ କାର୍ଯ୍ୟ କରୁଛନ୍ତି। ତାଙ୍କ ଦରମା ବନ୍ଦ କରାଯିବା ପରେ ସେମାନେ କୋର୍ଟର ଦ୍ବାରସ୍ଥ ହୋଇ ଦରମା ଉଠାଇବାକୁ ରାୟ ନିଜ ସପକ୍ଷରେ ଆଣିଛନ୍ତି। ଯେତେଦୂର ସମ୍ଭବ କାମପାଇଁ ସେମାନଙ୍କ ଦରମା ରିଲିଜ୍ ପରେ ସେମାନଙ୍କ ନାମରେ ମଧ୍ୟ ଏତଲା ଦିଆଯିବା ସୁନିଶ୍ଚିତ। ସରକାର ଗତ ଦୁଇ ବର୍ଷ ମଧ୍ୟରେ ଯେତେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ସାର୍ଟିଫିକେଟ ଭଲ ରୂପେ ଯାଞ୍ଚ କରିବା ସହ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

ଏ ଘଟଣାକୁ ବରିଷ୍ଠ ଶିକ୍ଷକ ନେତା ତଥା ଓଷ୍ଟାର ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀ ନିନ୍ଦା କରିବା ସହ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।