ଅନୁଗୋଳ: ଭାରତ ବର୍ଷର ଅନେକ ସ୍ଥାନରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଚାଲୁ ରହିଛି।ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହି ପ୍ରକଳ୍ପ ସଫଳତାର ସହ ଚାଲିଛି। ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଯୋଜନା ମଧ୍ୟ ସଫଳତାର ସହ ଚାଲିଛି। ତେବେ ଆମ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଆଜି ଯାଏ ସଫଳ ହୋଇ ପାରିନାହିଁ। ୨୦୧୮ ବେଳକୁ କୁହାଗଲା ଏଠାରେ ଗୋଟିଏ ବାଘ ଅଛି ଏବଂ ଏ ଅଞ୍ଚଳ ରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତି କରାଗଲା। ସାତକୋଶିଆ ବିସ୍ତୃତ ଶାଳ ଜଙ୍ଗଲ ଘଞ୍ଚ ସବୁଜିମା ଏବଂ ଖାଦ୍ୟ ପାଇଁ ବାଘଙ୍କୁ ସଂଘର୍ଷ କରିବାକୁ ପଡିବ ନାହିଁ ବୋଲି ଚିନ୍ତା କରି ଏନଟିସିଏକୁ ରାଜ୍ୟ ସରକାର ବାଘ ଦେବା ପାଇଁ ଅନୁରୋଧ କଲେ। ଏହାପରେ ଓଡ଼ିଶାକୁ ଏକ ଯୋଡ଼ା ବାଘ ଦିଆଗଲା। ସାତକୋଶିଆରେ ସେମାନଙ୍କୁ ଛଡା ଗଲା।ପ୍ରାୟ ୧୧୩୬ ବର୍ଗ କିମି ମଧ୍ୟରୁ ସେମାନଙ୍କ ଆବାସସ୍ଥଳୀକୁ ସ୍ୱତନ୍ତ୍ର ଭାବେ ଚୟନ କରାଗଲା। କିନ୍ତୁ ଜିଲ୍ଲା ଜଙ୍ଗଲ ବିଭାଗର ଅପାରଗତା ତଥା କେତେକ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ଯୋଗୁଁ ପୁରୁଷ ବାଘ ଟି ଶିକାରୀ ଯନ୍ତାରେ ପଡି ମରିବା ପରେ ସ୍ଥାନୀୟ ଅଧିବାସୀ ମାନେ ମଧ୍ୟ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ।ବାଘୁଣୀ ଆକ୍ରମଣରେ ଅନେକ ଗାଈ ଗୋରୁ ମଲେ।ଫଳରେ ବାଘ ପ୍ରକଳ୍ପ ଫେଲ ମାରିଲା।
କିଛିଦିନର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣି ଏନଟିସିକୁ ସହାୟତା ମାଗିଲେ। ତେବେ ଏନଟିସିଏ ସର୍ତ୍ତ ରଖି ପ୍ରକଳ୍ପକୁ ଚାଲୁ କରିବାକୁ ପୁଣି ରାଜି ହେଲା। ପ୍ରଥମ କଥା ହେଲେ ବାଘ ଆଣିବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ଅଧିବାସୀଙ୍କୁ ସମ୍ପୂର୍ଣ୍ଣ ଆର୍ଥିକ ପ୍ୟାକେଜ ଦେଇ ଜଙ୍ଗଲ ଅଞ୍ଚଳରୁ ସ୍ଥାନାନ୍ତର କରିବା।ସେମାନଙ୍କୁ ବଳପୂର୍ବକ ହଟାଇବା ନାହିଁ ଯେପରିକି ଭବିଷ୍ୟତରେ ଝାମେଲା ହେବ। ବାଘ ଆବାସ ସ୍ଥଳୀରେ ପ୍ରଚୁର ଖାଦ୍ୟ ମିଳିବା ଦରକାର। ସେମାନଙ୍କ ପାଇଁ ପ୍ରକୃଷ୍ଟ ପରିବେଶ,ପିଇବା ପାଣିର ସୁବିଧା ମଧ୍ୟ ରହିବା ଦରକାର ଏସବୁ ହେଲାପରେ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରକୁ ପୁଣି ଅନୁମତି ମିଳିବ ବୋଲି ଏନଟିସିଏ ସ୍ପଷ୍ଟ କରିଦେଲା।୨୦୨୪ ସୁଦ୍ଧା ଏହି କାର୍ଯ୍ୟ ହେବା କଥା କିନ୍ତୁ ସ୍ଥାନୀୟ ଅଧିବାସୀଙ୍କୁ ପ୍ୟାକେଜ ଦେଇ ସ୍ଥାନାନ୍ତର ପ୍ରକ୍ରିୟା ଏପର୍ଯ୍ୟନ୍ତ ସରିପାରି ନାହିଁ। ତେଣୁ ବାଘ ମାମୁଁ ଆସିବାରେ ଦିନ ଗଡି ଚାଲିଛି।ଦେଖା ଯାଉ ସାତକୋଶିଆକୁ ମାମୁଁ କେବେ ଆସୁଛି।