ସ୍ୱତନ୍ତ୍ର

ପାଣି ପାଇପ୍ ବିଛାଇବାରେ ନଷ୍ଟ ହେଉଛି ରାସ୍ତା

By Angul TV Bureau

April 05, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ପାଣ୍ଠି ଓ ଜିଲ୍ଲା ଖଣିଜ ପାଣ୍ଠିରେ ବିଭିନ୍ନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ତେବେ ଜିଲ୍ଲାରେ ଥିବା ରାଜ୍ୟ ରାଜପଥ କଡ଼ରେ ଖୋଳି ପାଇପ୍ ବିଛା ଯାଉଛି । ଯାହାକୁ ଠିକ୍ ଭାବରେ ପୂରଣ କରାଯାଉନଥିରୁ ଅନେକ ଦୁର୍ଘଟଣା ଘଟୁଛି । ଏଥିସହ ଭବିଷ୍ୟତରେ ଏହି ରାସ୍ତାଗୁଡ଼ିକର ପ୍ରଶସ୍ତିକରଣ କରାଗଲେ ସେଥିରେ ବାଧା ଉପୁଜିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ ମଧ୍ୟରେ ସମନ୍ଵୟ ଅଭାବରୁ ଏଭଳି କାର୍ଯ୍ୟ ହେଉଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ପାଇପ୍ ବିଛାଇବା ପାଇଁ ନୂଆକରି ନିର୍ମାଣ ହୋଇଥିବା ରାସ୍ତାକୁ ଖୋଳି ଦେଉଛି ବିଭାଗ । ରାସ୍ତାକଡ଼ରେ ଖୋଳା ଯାଇ ପାଇପ୍ ବିଛାଯାଉଛି ।

ଏହି ଖୋଳାଯାଇଥିବା ଗାତକୁ ଠିକ୍‌ଭାବେ ପୂରଣ କରାଯାଉନଥିବାରୁ ରାସ୍ତାକଡ଼କୁ ଯାଉଥିବା ମୋଟର ଯାନଗୁଡ଼ିକ ଦୁର୍ଘଟଣାର ଶିକାର ହେଉଛନ୍ତି । ଏ ନେଇ ପୂର୍ତ୍ତ ବିଭାଗ ତରଫରୁ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ବାରମ୍ବାର କୁହାଯାଉଥିଲେ ହେଁ କିଛି ଫରକ ପଡୁନାହିଁ । ଏନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳୁ ନାହିଁ ବୋଲି ପୂର୍ବ ବିଭାଗ କହୁଛି । ତେଣୁ ପୂର୍ତ୍ତ ବିଭାଗ ତରଫରୁ ବିଭିନ୍ନ ରାସ୍ତାରେ ପାଇପ୍‌ ଲାଇନ୍‌ ବିଛାଇବା ପାଇଁ ହେଉଥିବା କ୍ଷତି ଓ ମରାମତି ପାଇଁ ପ୍ରାୟ ୬ କୋଟି ୧ ୧ ଲକ୍ଷ ୫୮ ହଜାର ଟଙ୍କାର ଭରଣା କରିବାକୁ ପତ୍ରମାଧ୍ୟମରେ ଜଣାଇ ଦିଆଯାଇଛି ।କିନ୍ତୁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏଥିପ୍ରତି ଆଦୌ ଗୁରୁତ୍ବ ଦେଉନାହିଁ । ଅନ୍ୟପକ୍ଷରେ ଏହି ପାଇପ୍‌ ଲାଇନ୍ ରାସ୍ତାରୁ ୨୩ ମିଟର ଦୂରରେ ନିଆଯାଇ ପାରନ୍ତା । ଯାହାଫଳରେ କାହାର ଅସୁବିଧା ହୁଅନ୍ତା ନାହିଁ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି । ଏନେଇ ଅନୁଗୁଳ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ରଞ୍ଜନ ନାୟକଙ୍କୁ ଯୋଗଯୋଗ କରାଯିବାରୁ ସେ କହିଲେ ଯେ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ପାଇପ୍‌ ଲାଇନ୍‌ ବିଛାଇବା ପାଇଁ ଯୋଜନା କରିବା ପୂର୍ବରୁ ଯେଉଁ ସର୍ଭେ କରିଛି ସେଠାକୁ ଆମ ବିଭାଗର ଅଧିକାରୀଙ୍କୁ ଡାକି ନାହିଁ ।

ମନ ଇଚ୍ଛାରେ ସର୍ଭେକରି ପାଇପ୍‌ ଲାଇନ୍‌ ବିଛାଉଛି । ଜିଲ୍ଲାର ବହୁତ ନବନିର୍ମିତ ରାସ୍ତାକୁ ପାଇପ୍ ବିଛାଇବା ନାଁରେ ନଷ୍ଟ କରି ଦେଇଛି । ରାସ୍ତକଡ଼ରେ ଗାତ ଖୋଳି ପାଇପ୍ ବିଛାଇବା ଦ୍ଵାରା ଭବିଷ୍ୟତରେ ସେହି ରାସ୍ତା ଗୁଡ଼ିକର ସମ୍ପ୍ରସାରଣ ଓ ପ୍ରଶସ୍ତିକରଣ କରିବା ଅସୁବିଧା ହେବ । ପାଇପ୍ ଲାଇନ୍ ବିଛାଇବାପରେ ସେଠାରେ ଠିକ୍ ଭାବେ ଗାତ ପୂରଣ କରାଯାଉନାହିଁ କି କଂପ୍ୟାକସନ୍ କରାଯାଉନାହିଁ । ଯେଉଁଥିପାଇଁ ସେହି ରାସ୍ତାରେ ଏବେ ଅନେକ ଦୁର୍ଘଟଣା ଘଟୁଛି । ବର୍ଷା ଦିନରେ ସେଠାରେ ଆହୁରି ଅଧିକ ଦୁର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ନାୟକ ଆଶଙ୍କାପ୍ରକଟ କରିଛନ୍ତି। ଏହାଛଡ଼ା ପାଇପ୍ ବିଛା ଯାଇଥିବା ରାସ୍ତାର ମରାମତି ପାଇଁ ଆମ ବିଭାଗ ତରଫରୁ ପତ୍ର ଲେଖି ପ୍ରାୟ ୬ କୋଟିରୁ ଉର୍ଦ୍ଧ ଟଙ୍କା ଦେବାକୁ ଅନୁରୋଧ କରାଯାଇଛି । କିନ୍ତୁ ଏ ବାବଦରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ କିଛି ଭତ୍ତର ମିଳିନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।