ମୁଖ୍ୟ ଖବର

ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ଖୋଲାଗଲା, ବନ୍ୟାଜଳ ନିଷ୍କାସନ ଜାରି

By Angul TV Bureau

September 04, 2025

କଣିହାଁ: ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ (ଗେଟ୍ ନଂ-୧୦) ଗୁରୁବାର ମଧ୍ୟାହ୍ନ ୧.୫୪ ମିନିଟରେ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି, ଯାହାଫଳରେ ଡ୍ୟାମର ଜଳଭଣ୍ଡାରରେ ଜଳସ୍ତର ୧୨୨.୭୫ ମିଟରକୁ ପହଞ୍ଚିଥିଲା। ଡ୍ୟାମର ପୂର୍ଣ୍ଣ ଜଳ ଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ, ଆଜି ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୧୨୨.୭୭ ମିଟର ରହିଛି।

ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଡ୍ୟାମର ଗେଟ ଖୋଲାଯାଇଛି। ମଙ୍ଗଳବାର ଗୋଟିଏ ଗେଟ ଖୋଲାଯାଇଥିବା ବେଳେ ଗୁରୁବାର ଦ୍ୱିତୀୟ ଗେଟ ଖୋଲାଗଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩୮୩୪.୬୦ ଘନ ମିଟର ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ଦୁଇଟି ଗେଟ ଓ ପାୱାର ଚ୍ୟାନେଲ ମାଧ୍ୟମରେ ୩୭୭୩.୯୧ ଘନ ମିଟର ଜଳ ନିଷ୍କାସିତ ହେଉଛି।

ଡ୍ୟାମ କର୍ତ୍ତୃପକ୍ଷ ଜଳସ୍ତର ନିୟନ୍ତ୍ରଣ ପାଇଁ ସତର୍କ ରହିଛନ୍ତି ଏବଂ ଆଗକୁ ଆହୁରି ବର୍ଷା ହେଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।