ମୁଖ୍ୟ ଖବର

ଜଳିଗଲା ଦୋକାନ, ୧୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ

By Angul TV Bureau

April 01, 2023

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ରଗୁଡ଼ି ସାହି ସ୍ଥିତ ଜଗନ ଇଲେକ୍ଟ୍ରୋନିକ ଦୋକାନରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ହୋଇ ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ଗତ କାଲି ରାତି ପ୍ରାୟ ୨ଟା ସମୟରେ ଦୋକାନରେ ନିଆଁ ଲାଗିଥିବା ନେଇ ଜଗନଙ୍କୁ କିଛି ଲୋକ ଫୋନ କରି ଜଣାଇଥିଲେ। ଜଗନ ଫୋନ ପାଇବା ପରେ ଆସି ଦେଖିବା ବେଳକୁ ସତରେ ଦୋକାନ ଜଳୁଥିଲା। ଏ ନେଇ ସେ ତୁରନ୍ତ ଅନୁଗୁଳ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଥିଲେ। ନାଲକୋର ଅଗ୍ନିଶମର ନିଆଁ ଲିଭା ଗାଡି ଓ ଅନୁଗୁଳର ନିଆଁ ଲିଭା ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଲିଭିବା ବେଳକୁ ପୂରା ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା। ଦୋକାନରେ ତାଙ୍କର ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଥିଲା।

ଦୋକାନ ଜଳିଯିବା ଦ୍ୱାରା ସେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଏ ନେଇ ସେ ନାଲକୋ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ଜଗନ କହିଛନ୍ତି।