ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗାଁର ଖନ୍ଦାନାଳି ଠାରେ ଜଣେ ଦୋକାନୀଙ୍କୁ ବୁଧବାର ରାତିରେ ୪ ଜଣ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନା ମୁତାବକ, ସେରେଣାବେଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ, ଗୋପିନାଥ ସାହୁ, କହ୍ନେଇ ସାହୁ ଓ ବାବାଜୀ ସାହୁ ସଙ୍ଘବଦ୍ଧଭାବେ ବିରଞ୍ଚି ଜେନାଙ୍କ ଦେକାନରେ ପହଞ୍ଚି ବାଉଁଶ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୁଣ୍ଡ ଫାଟି ତଳେ ଅଚେତ ଅବସ୍ଥାରେ ପଡ଼ି ଯାଇଥିଲେ। ସେଠାରେ ଉପସ୍ଥିତଥିବା ଗାଁର ବିଶ୍ବମ୍ବର ସାହୁ ବିରଞ୍ଚିଙ୍କୁ ରକ୍ଷା କରିବାକୁ ଯିବାରୁ ତାଙ୍କୁ ମଧ୍ୟ ମାଡ଼ ହୋଇଥିଲା। ଫଳରେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ବିରଞ୍ଚିଙ୍କ ସ୍ତ୍ରୀ ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଟଣାଓଟରା କରିଥିଲେ। ପରେ ସେମାନେ ଦୋକାନରେ ପଶି ୩ ହଜାର ଟଙ୍କା , ୨ଟି ମୋବାଇଲ ଫୋନ୍, ଗୋଟିଏ ଏଟିଏମ୍ କାର୍ଡ଼ ନେଇ ଯାଇଛନ୍ତି। ଏ ନେଇ ବିରଞ୍ଚିଙ୍କ ସ୍ତ୍ରୀ ରଜନୀ ଜେନା ମହିଧରପୁର ଫାଣ୍ଡିରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହି ଆକ୍ରମଣର କାରଣ କିଛି ଜଣାପଡ଼ି ନାହିଁ।