ମୁଖ୍ୟ ଖବର

ଅବ୍ୟବସ୍ଥାର ନଗ୍ନ ଚିତ୍ର! ଦେଢ଼ ମାସ ହେଲାଣି ମରାମତି ହେଉନି ଛେଳିଆପଡ଼ା ଟାୱାର ଲାଇନ, ପାଖାପାଖି ୧୫ କୋଟିରୁ ଅଧିକ କ୍ଷତି ସହିଲାଣି ରାଜ୍ୟ !!

By Angul TV Bureau

July 03, 2024

ଅନୁଗୁଳ : ବିଦ୍ୟୁତ ସଞ୍ଚାରଣ କମ୍ପାନୀର ଅପାରଗତାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲାରୁ। ଏଠାରେ ମେ’ ମାସଠାରୁ ଝଡ଼ରେ ଭାଙ୍ଗିଥିବା ଟାୱାରର ମରାମତି ଆଜି ଯାଏଁ ହୋଇପାରିନି। ଫଳରେ ରାଜ୍ୟକୁ ମଧ୍ୟ ମାସିକ ପ୍ରାୟ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।

ସୂଚନା ମୁତାବକ, ଗତ ମେ ୨୧ ତାରିଖରେ ଏକ ଅଦିନିଆ ଝଡ଼ରେ ଛେଳିଆପଡ଼ା ନିକଟରେ ୪୦୦ କେଭିର ଏକ ଉଚ୍ଚ ଶକ୍ତି ସମ୍ପନ୍ନ ଟାୱାର ଭାଙ୍ଗି ପଡ଼ିଥିଲା। ଟାୱାର ଭାଙ୍ଗି ଯିବା ଦ୍ଵାରା ମେରାମୁଣ୍ଡଳୀ-ଲପଙ୍ଗା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଲାଇନରେ ଦୈନିକ ୬୦୦ ମେଗାୱାଟ ବିଦ୍ୟୁତ ଶକ୍ତି ସଞ୍ଚାରଣ ହୋଇପାରୁନାହିଁ। ଫଳରେ ମେରାମୁଣ୍ଡଳୀ ଗ୍ରୀଡ଼ର ବିତରଣ କ୍ଷମତା କମି ଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣାକୁ ପାଖାପାଖି ଦେଢ଼ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଓପିଟିସିଏଲ୍ ଏହାକୁ ସଜାଡୁ ନାହିଁ। କମ୍ପାନୀର ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁ ଛେଳିଆପଡ଼ା ଟାୱାର ଲାଇନ ଆଜିଯାଏ ମରାମତି ହୋଇନ ପାରି ସେଇଭଳି ପଡ଼ିରହିଛି। ଫଳରେ ରାଜ୍ୟକୁ ମାସିକ ପ୍ରାୟ ୧୫ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି।

ଏ ସମ୍ପର୍କରେ ମେରାମୁଣ୍ଡଳୀ ୪୦୦ କେଭି ଲାଇନ୍ ଏସଡିଓ ଯୋଗେନ୍ଦ୍ର ନାଥ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଏବେ ବ୍ୟସ୍ତ ଅଛନ୍ତି କହି ଫୋନ କାଟି ଦେଇଥିଲେ।

ତେବେ ଦେଖିବାକୁ ବାକି ରହିଲା ଏହି ଟାୱାର ଲାଇନ କେବେ ସଜଡ଼ା ହେଉଛି ଆଉ କେବେ ବିଦ୍ୟୁତ ସେବା ତ୍ୱରାନ୍ୱିତ ହେଉଛି।