ଅନ୍ୟାନ୍ୟ

ଅନୁଗୁଳରେ ହେବ ଏବିଭିପିର ରାଜ୍ୟ ଅଧିବେଶନ

By Swagatika Samantray

December 07, 2022

ଅନୁଗୁଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡ଼ିଶା ତରଫରୁ ୪୭ ତମ ରାଜ୍ୟ ଅଧିବେଶନ ଆସନ୍ତା ଡ଼ିସେମ୍ବର ୨୩, ୨୪ ଓ ୨୫ ତାରିଖରେ ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ବୁଧବାର ସ୍ଥାନୀୟ ଏକ ହୋଟେଲରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ରାଜ୍ୟ ଅଧିବେଶନରେ ସାରା ରାଜ୍ୟର ୩୦ ଜିଲ୍ଲାରୁ ଛାତ୍ର, ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ୧୦୪୫ ପ୍ରତିନିଧି ଯୋଗଦେବେ।

ଅଧିବେଶନରେ ରାଷ୍ଟ୍ରୀୟ ସହ ସଙ୍ଗଠନ ସମ୍ପାଦକ ଗୋବିନ୍ଦ ନାୟକ, କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ ଆପାଂଶୁ ଶେଖର ସିଲ୍ ଉପସ୍ଥିତ ରହିବେ। ୨୨ ତାରିଖ ସନ୍ଧ୍ୟାରେ ପ୍ରଦର୍ଶନୀ, ୨୩ ତାରିଖରେ ଏବିଭିପିର ପତାକା ଉତ୍ତୋଳ, ସ୍ବାବଲମ୍ବୀ ଭାରତ ନେଇ ବକ୍ତବ୍ୟ ରହିବ। ୨୪ରେ ସମସ୍ତ ଜିଲ୍ଲାର କାର୍ଯ୍ୟକର୍ତ୍ତା ସାଂସ୍କୃତିକ ବେଶ ଭୂଷାରେ ଶୋଭାଯାତ୍ରାରେ ଅନୁଗୁଳ ସହର ପରିକ୍ରମା କରିବେ। ରାଜ୍ୟର ଶିକ୍ଷା ସମସ୍ୟା, ମହିଳା ସୁରକ୍ଷା, ସୀମା ସୁରକ୍ଷା, ନିଶା ନିବାରଣ ଓ ରୋଜଗାରରେ ସରକାରଙ୍କ ଅପାରଗତା ବିଷୟରେ ଛାତ୍ର ନେତା ମାନେ ଆଲୋଚନା କରିବେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଜିଲ୍ଲା ସଂଯୋଜକ ଗୁଣନିଧି ତ୍ରୀପାଠୀ, ଛେଣ୍ଡିପଦା ନଗର ସମ୍ପାଦକ ଆଶିଷ ବେହେରା, ଅନୁଗୁଳ ନଗର ସମ୍ପାଦକ ଜିବେଶ ସାହୁ, ଅନୁଗୁଳ ନଗର ସହ ସମ୍ପାଦକ ସୁମନ ସାହୁ ପ୍ରମୁଖ ଉପସ୍ଥିତି ଥିଲେ।