ଅନ୍ୟାନ୍ୟ

ବିଭିନ୍ନ ଦାବି ନେଇ ଜିଲ୍ଲା ପ୍ରଶାସନକୁ ଭେଟିଲୋ ଟାକ୍ସି ଚାଳକ ସଂଘ

By Angul TV Bureau

September 30, 2021

ଅନୁଗୁଳ: ଅନୁଗୁଳର ମା’ ତାରିଣୀ କମାଣ୍ଡର ଓ ଟାକ୍ସି ଡ୍ରାଇଭର ଆସୋସିଏସନର ସଭ୍ୟମାନେ ଗୁରୁବାର ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ୪ ଦଫା ଦାବି ସମ୍ବଳିତ ଏହି ଦାବି ପତ୍ରରେ ଟାକ୍ସି ପାର୍କିଂ ଓ ସଂଘ କାର୍ଯ୍ୟାଳୟ ସ୍ଥାପନ ପାଇଁ ଏକ ଜାଗାର ବ୍ୟବସ୍ଥା କରିବା, କରୋନା ସମୟରେ ଟାକ୍ସିରେ ରୋଗୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଲୋକମାନଙ୍କୁ ନେବା ଆଣିବା କରି ନିଜ ଜୀବନକୁ ବାଜି ଲଗାଇ ସାହାଯ୍ୟ କରିଆସୁଥିବାରୁ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ଓ ସମସ୍ତ ଡ୍ରାଇଭରମାନେ କରୋନା ସମୟରେ ନିଜର ବୃତି ହରାଇଥିବାରୁ ସେମାନଙ୍କ ପରିବାର ପ୍ରତିପୋଷଣ ବିପନ୍ନ ହୋଇଛି, ଏଣୁ ସମସ୍ତ ଡ୍ରାଇଭରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ଦାବିକୁ ୧୦ ଦିନ ମଧ୍ୟରେ ସମାଧାନ କରାନଗଲେ ସେମାନେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥିଙ୍କୁ ଭେଟି ସଂଘର ଉପଦେଷ୍ଟା ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, ଆଇନ ପରାମର୍ଶଦାତା ଗୋପାଳ ନାଥ ପୂର୍ବତନ ବାର ସଭାପତି ଜିତେନ୍ଦ୍ର ସାହୁ, ଧର୍ମେନ୍ଦ୍ର ମିଶ୍ର, ନିଳକଣ୍ଠ ନାଏକ, ପ୍ରଶାନ୍ତ ବିଶ୍ବାଳ, ସଂଘ ସଭାପତି ଦିନବନ୍ଧୁ ଅମାନ୍ତ, ଉପସଭାପତି ଅନିଲ କୁମାର ନାଏକ, ସଂପାଦକ ପାର୍ଥସାରଥି ଦାସ, ପ୍ରକାଶ ସାହୁ, ରାଜକିଶୋର ବିଶ୍ବାଳ, କପିଳ ଦେହୁରୀ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶତପଥି ଏହି ସମସ୍ୟାକୁ ବିଚାର କରି ସାତ ଦିନ ମଧ୍ୟରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ଏହାର ସମାଧାନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ।