ଅନୁଗୁଳ: କଣିହାଁ ଆମ୍ବପାଳ ଏନ୍ଟିପିସି ରେଲୱେ ଲେଭଲ୍ କ୍ରସିଂଠାରେ ରବିବାର ରାତିରେ ଦୃର୍ବୃତ୍ତର ଛୁରା ମାଡ଼ରେ ଜଣେ ଟ୍ରକ୍ ଚାଳକ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଆହତ ଚାଳକ ଜରପଡା ଥାନା ମରାତିରା ଗ୍ରାମର ବିରଞ୍ଚି ନାରାୟଣ ସାହୁ(୩୫) ବୋଲି ଜଣାପଡ଼ିଛି । ଟ୍ରକ୍ ମାଲିକ ବଡ଼ଯୋରଡ଼ା ଗ୍ରାମର ରଣଜିତ ପ୍ରଧାନ(୪୦) ସୋମବାର ଏନଟିପିସି ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେପଟେ ଆହତ ଟ୍ରକ୍ ଚାଳକ ଚିକିତ୍ସାଧୀନ ଅଛନ୍ତି ।ପ୍ରକାଶଥାଉକି, ଗୋଡିବନ୍ଧ କଣିହାଁ ଜାତୀୟ ରାଜପଥ ପାର୍ଶ୍ଵରେ ପାର୍କିଂହେଉଥିବା ଟ୍ରକ୍ ଚାଳକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଟାର୍ଗେଟ୍ କରି ନିୟମିତ ଭାବରେ ଚାନ୍ଦା ଆଦାୟ କରୁଛି । ବଟି ନଦେଲେ ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ ସୁଦ୍ଧା କରିବାକୁ ପଛାଉ ନାହାନ୍ତି । ଏ ଅଂଚଳରେ ତେଣୁ ନିୟମିତ ପୁଲିସ୍ ପାଟ୍ରୋଲିଂ କରାଯିବାକୁ ଦାବି ହୋଇଛି।