ମୁଖ୍ୟ ଖବର

କିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

By Angul TV Bureau

September 27, 2024

ଅନୁଗୁଳ: ଟ୍ରିପଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ ଦୌରାଜଜ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଠାକୁରଗଡ଼ ଥାନା କଳାପାଟନାଳୀ ଗ୍ରାମର ପ୍ରକାଶ ବେହେରା (୪୫) ଓ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମର ନନ୍ଦକିଶୋର ସେଠି(୩୭)। ତେବେ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଘଟଣା ଆଠମଲ୍ଲିକରେ ପ୍ରଥମ ବୋଲି ଜଣାଯାଇଛି।

ସୂଚନା ମୁତାବକ, କିଶୋରନଗର ଥାନା ସଂଜାମୁରା ପଞ୍ଚାୟତ ଗମ୍ଭାରୀମଳିହା ଗ୍ରାମରେ ଗତ ୯ ଅକ୍ଟୋବର ୨୦୧୭ ରେ ବିରଞ୍ଚି ନାୟକଙ୍କ ସ୍ତ୍ରୀ ତରଣୀ ନାୟକଙ୍କୁ ବେକ କାଟି ହତ୍ୟା କରାଯାଇଥିଲା। ଏଥିସହ ବିରଞ୍ଚି ଓ ତା’ ୪ ବର୍ଷର ପୁଅ ଏକଲବ୍ୟଙ୍କ ବି ପତ୍ତା ମିଳିନଥିଲା। ଏ ନେଇ ୧୦ ତାରିଖରେ କିଶୋରନଗର ଥାନାରେ ବିରଞ୍ଚିର ଭାଇ ସୁଶାନ୍ତ ଅଭିଯୋଗ କରିଥିଲା। ଅଭିଯୋଗ ପରେ ପୋଲିସ ତଦନ୍ତ କରି ଠାକୁରଗଡ଼ ଥାନା ପୋକଣ୍ଡା ଜଙ୍ଗଲରୁ ବିରଞ୍ଚିର ମୃତଦେହ ଓ ବିରିପଡ଼ିଆ ଜଙ୍ଗଲରୁ ଏକଲବ୍ୟର ମୃତଦେହ ଉଦ୍ଧାର କରିଥିଲା।

ଏହି ଘଟଣାର ତଦନ୍ତ ପରେ ପୋଲିସ ପ୍ରକାଶ ଓ ନନ୍ଦକିଶୋରଙ୍କୁ ଗିରଫ କରିଥିଲା। ସେମାନେ ଟଙ୍କା ନେବା ଉଦ୍ଦେଶ୍ୟରେ ବିରଞ୍ଚିକୁ ନାଚ ଦେଖିବାକୁ ଡାକି ନେଇ ହତ୍ୟା କରିଥିଲେ। ପରେ ତା ଘରକୁ ଯାଇ ତା ସ୍ତ୍ରୀକୁ ଟଙ୍କା ମାଗିଥିଲେ। ସେ ଟଙ୍କା ନଦେବାରୁ ତାକୁ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଥିଲେ। ପରେ ଛୋଟ ଛୁଆକୁ ନେଇ ଜଙ୍ଗଲରେ ହତ୍ୟା କରି ଫିଙ୍ଗି ଦେଇଥିଲେ ବୋଲି ସ୍ୱୀକାର କରିଥିଲେ।

ଏ ମାମଲାର ଆଜି ଶୁଣାଣି କରି ଆଠମଲ୍ଲିକ ଅତିରିକ୍ତ ଦୌରାଜଜ ଲକ୍ଷ୍ମୀ ନାରାୟଣ ରାୟ ଚୌଧୁରୀ ୨ ଅଭିଯୁକ୍ତ ପ୍ରକାଶ ଓ ନନ୍ଦକିଶୋରଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ବିରଞ୍ଚିର ଅନ୍ୟ ଏକ ନାବାଳିକା ଝିଅ ସାଇନାକୁ ୩୦ ଲକ୍ଷ କ୍ଷତିପୂରଣ ମିଳିବାକୁ ଆଦେଶ ଦେଇଛନ୍ତି। ମାମଲାକୁ ସରକାରୀ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ଓ ଅଭିଯୁକ୍ତଙ୍କ ପକ୍ଷରୁ ପ୍ରମୋଦ ପ୍ରଧାନ ପରିଚାଳନା କରୁଥିଲେ।