ଘଟଣା ଓ ଦୁର୍ଘଟଣା

ଖରାଦିନ ନ ହେଉଣୁ ଜଳିଲାଣି ଅନୁଗୁଳର ବିଭିନ୍ନ ଜଙ୍ଗଲ, ଆୟତ୍ତ କରୁଛନ୍ତି ଆଗ୍ନିକ

By Swagatika Samantray

March 20, 2022

ଅନୁଗୁଳ: ଜଳୁଛି ଅନୁଗୁଳର ବିଭିନ୍ନ ଜଙ୍ଗଲ। ଖରାଦିନ ନ ଆସୁଣୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳିବାରେ ଲାଗିଲାଣି। ସ୍ଥାନୀୟ ଲୋକମାନେ ଜାଳେଣି ଆଣିବାକୁ ଜଙ୍ଗଲକୁ ଯାଇ ନିଆଁ ଲଗାଇ ଦେଇଥିବାରୁ ଗତ ୨ ଦିନ ଭିତରେ ଜିଲ୍ଲାର ୪ଟି ସ୍ଥାନ ଜଳୁଛି। ଅଗ୍ନିଶମ ବିଭାଗର ଅଧିକାରୀମାନେ ପହଞ୍ଚି ଏହି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ଅଗ୍ନିଶମ ବିଭାଗର ସୂଚନା ମୁତାବକ, ଶନିବାର ଜରାସିଂହରେ ନିଆଁ ଲାଗିଥିବା ବେଳେ ସନ୍ଧ୍ୟାରେ ନତଡ଼ା ରିଜର୍ଭ ଫରେଷ୍ଟରେ ନିଆଁ ଲାଗିଯାଇଥିଲା। ସେହିପରି ରାତି ପ୍ରାୟ ୭ଟା ବେଳେ ପରଜଙ୍ଗ ଠାରେ ଏକ ବାଉଁଶ ବୁଦାରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। କେହି ସ୍ଥାନୀୟ ବ୍ୟକ୍ତି ଜଙ୍ଗଲକୁ ମହୁଆ ଓ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ନିଆଁ ଲଗାଇ ଦେଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ସେହିପରି ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ଚେଲିଆପଡ଼ା, ମୁଦୁଲି ସାହିରେ ନିଆଁ ଲାଗିଯିବାରୁ ଆଗ୍ନିକମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆଜି ଦେବରାଜ ମେଦାଲଙ୍କ ଛଣ ଗଦାରେ ଓ ରବି ନାରାୟଣ ପ୍ରଧାନଙ୍କ ବାଉଁଶ ବୁଦାରେ ନିଆଁ ଲାଗିଯାଇଥିଲା। କେହି ଅଜଣା ବ୍ୟକ୍ତି ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ କେତେ ଧନ ସମ୍ପତ୍ତି ନଷ୍ଟ ହୋଇଛି, ଏବେ ତାହାର ମୂଲ୍ୟାୟନ ଚାଲିଥିବା ନେଇ ଜିଲ୍ଲା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।