ଅନ୍ୟାନ୍ୟ

କ୍ରମାଗତ ସରକାରୀ ଅବହେଳାର ପ୍ରତିବାଦ

By Angul TV Bureau

April 26, 2021

ଅନୁଗୁଳ: କ୍ରମାଗତ ସରକାରୀ ଅବହେଳା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରାଣୀ ଚିକିତ୍ସକ। ରବିବାରଠୁ ସେମାନେ ଡିଜିଟାଲ୍ ସେବାକୁ ବର୍ଜନ କରିଛନ୍ତି। ପ୍ରାଣୀ ଚିକିତ୍ସକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ସହିତ କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି ପାଇଁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।କରୋନା କାଳରେ ସେମାନେ ଜୀବନକୁ ବାଜି ଲଗାଇ ଘରକୁ ଘର ଯାଇ ପ୍ରାଣୀ ସମ୍ପଦର ଜୀବନ ବଞ୍ଚାଇଛନ୍ତି। ମାତ୍ର ସରକାର ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇନଥିବା ସେମାନେ ଅଭିଯୋଗ ଆଣିଛନ୍ତି। ସେହିପରି ପ୍ରାଣୀ ଚିକିତ୍ସକଙ୍କୁ ସାଧାରଣ ଡାକ୍ତରଙ୍କ ପରି ଏପର୍ଯ୍ୟନ୍ତ ପଦମର୍ଯ୍ୟାଦା କି ସମ୍ମାନ ମିଳିନି। ସାଧାରଣ ଡାକ୍ତରଙ୍କ ଭଳି ସେମାନେ ମଧ୍ୟ ୫ ବର୍ଷ ୬ ମାସର ପାଠ୍ୟକ୍ରମ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ସମାନ ପ୍ରକାର ସେବା ଯୋଗାଇଥାନ୍ତି। କେନ୍ଦ୍ର ସରକାର ଓ ଦେଶର ୨୦ରୁ ଊର୍ଦ୍ଧ୍ବ ରାଜ୍ୟ ସରକାର ପ୍ରାଣୀ ଚିକିତ୍ସକଙ୍କୁ ସାଧାରଣ ଡାକ୍ତରଙ୍କ ଭଳି ସମ୍ମାନ ଦେଇ ଆସୁ ଥିବା ବେଳେ ଓଡ଼ିଶା ସରକାର ଏକ୍ଷେତ୍ରରେ କୁନ୍ଥକୁନ୍ଥ ହେଉଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ସାଧାରଣ ଡାକ୍ତରଙ୍କ ପରି କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି ପାଇଁ ପ୍ରାଣୀ ଚିକିତ୍ସକମାନେ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଥିଲେ ହେଁ ଓଡ଼ିଶା ସରକାର ଭିତ୍ତିହିିନ କାରଣ ଦର୍ଶାଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରାଣୀ ଚିକିତ୍ସକମାନେ ଅଭିଯୋଗ କରିଛନ୍ତି। ଏହି ଦୀର୍ଘ ଦିନର ଦାବି ପୂରଣ ନହେଲେ ପୂର୍ବରୁ କଳା ବ୍ୟାଜ୍‌ ପରିଧାନ କରିଥିବା ଓ  ଡିଜିଟାଲ୍ ସେବାକୁ ବର୍ଜନ କରିଥିବା ପ୍ରାଣୀ ଚିକିତ୍ସକ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବେ। ଦାବି ପୂରଣ ନହେଲେ ଆସନ୍ତା ୧ ତାରିଖରୁ କଲମ ଛାଡ଼, ଚିକିତ୍ସାଳୟ ପରିସର, କାର୍ଯ୍ୟ ନିର୍ଘଣ୍ଟ ଓ କାର୍ଯ୍ୟଦିବସ ବାହାରେ ସେବା ବିରତି, ମେ ୧୫ ତାରିଖରୁ ସମୂହ ଛୁଟି ଓ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି । ଅନୁଗୁଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ବିକ୍ଷୋଭରେ ବିକାଶ ରଞ୍ଜନ ବେହେରା ଓ କେଶବ ଚନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରାଣୀଚିକିତ୍ସକ ଉପସ୍ଥିତ ଥିଲେ।