ମୁଖ୍ୟ ଖବର

ଆଖି ଡାକ୍ତରଙ୍କ ବିରୁଦ୍ଧରେ ସାନି ଅଭିଯୋଗ କଲେ ପୀଡ଼ିତଙ୍କ ପରିବାର

By Biswaranjan Pattnaik

September 21, 2024

ଅନୁଗୁଳ: ଗତ ୨୦.୬.୨୦୨୪ ଦିନ ଅନୁଗୁଳ ଅମଲାପଡ଼ା ପ୍ରଧାନ ଆଇ କେୟାର ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିରରେ ସଂକ୍ରମଣ ଘଟି ୧୩ ଜଣ ରୋଗୀ ଦୃଷ୍ଟି ଶକ୍ତି ହରାଇବା ଘଟଣାରେ ଆଜି ପୀଡ଼ିତଙ୍କ ପରିବାର ପକ୍ଷରୁ ସିଡିଏମଓଙ୍କ ନିକଟରେ ପୁଣି ଅଭିଯୋଗ କରାଯାଇଛି। ପୀଡ଼ିତା ସରସ୍ଵତୀ ପାଣିଙ୍କ ପୁଅ ଶ୍ରୀଧର ପାଣିଙ୍କ ମୁତାବକ ଡ଼ା ଚନ୍ଦ୍ର ଶେଖର ପ୍ରଧାନ ପୂର୍ବ ଘଟଣାର ଆପୋଷ ସମାଧାନ ସହ କ୍ଷତି ପୂରଣ ଦେବା ନିମନ୍ତେଗତ ଶୁକ୍ରବାର ସନ୍ଧ୍ୟାରେ ଏକ ବୈଠକ ଡ଼କାଇଥିଲେ।ଏଥିରେ ପୀଡ଼ିତ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ଭାଗ ନେଇଥିଲେ। ଶ୍ରୀଧର ପାଣିଙ୍କ ନେତୃତ୍ୱରେ ପୀଡ଼ିତ ମାନେ ବୈଠକରେ ଯୋଗ ଦେଇଥିଲେ।

କିନ୍ତୁ ଏହି ଦ୍ୱିପାକ୍ଷିକ କଥାବାର୍ତ୍ତା ବିଫଳ ହୋଇଥିଲା ଏବଂ ବିଫଳ ନେଇ ଡ଼ା ପ୍ରଧାନ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଶ୍ରୀ ପାଣିbଓ ସୁଶିଲ ପ୍ରଧାନ ଅଭିଯୋଗ କରିଛନ୍ତି। ଏଣୁ ଆଜି ଶ୍ରୀ ପାଣି ଓ ଶ୍ରୀ ପ୍ରଧାନ ପୀଡ଼ିତଙ୍କ ପକ୍ଷରୁ ସିଡିଏମଓଙ୍କୁ ସ୍ମାରକ ଦିଆଯିବା ସହ ଡ଼ା ପ୍ରଧାନଙ୍କ କ୍ଲିନିକ୍ କୁ ସବୁଦିନ ପାଇଁ ବନ୍ଦ କରିବା ଏବଂ ଡ଼ା ପ୍ରଧାନ ଓ ଡ଼ା ବିଶ୍ୱଜିତ୍ ଦେଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଶ୍ରୀ ପାଣିଙ୍କ ମୁତାବକ ମୋଟ ୧୩ ଜଣ ପିଡ଼ିତଙ୍କ ମଧ୍ୟରୁ ଉପରୋକ୍ତ ସଂକ୍ରମଣ ଘଟଣାରେ ତିନି ଜନ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇଥିବା ବେଳେ ଅନ୍ୟମାନେ ୫୦ ପ୍ରତିଶକ୍ତି ଦୃଷ୍ଟିଶକ୍ତି ହରାଇଛନ୍ତି।

ଓଟି ବିଶୋଧନ ରେ ଅବହେଳା କିମ୍ବା ଅପରେସନ ପୂର୍ବରୁ ଦିଆଯାଉଥିବା ଆଇ ଡ୍ରପ ନିମ୍ନ ମାନର ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ବିଶେଷଜ୍ଞ ମାନେ ମତ ଦେଇଥିଲେ।ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡ଼ା ପ୍ରଧାନ ଆଇ କେୟାରକୁ ସିଲ କରାଯାଇଥିଲେ ହେଁ ଡ଼ା ପ୍ରଧାନ କିମ୍ବା ଡ଼ା ଦେଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ପୀଡ଼ିତଙ୍କ ପରିବାର ଅଭିଯୋଗ କରିଛନ୍ତି। ସର୍ବଶେଷ ସମ୍ବାଦ ଅନୁସାରେ ପୀଡ଼ିତ ମାନେ ଏବେ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।