ଘଟଣା ଓ ଦୁର୍ଘଟଣା

୨ ସପ୍ତାହ ହେଲା ନିଷ୍କାସିତ ହୋଇପାରୁନି ବର୍ଷା ଜଳ, ରାସ୍ତା ଅବରୋଧ କଲେ ଗାଁ ଲୋକେ

By Angul TV Bureau

August 20, 2022

ଅନୁଗୁଳ: ଅନୁଗୁଳ ବ୍ଲକ ବଲାସିଂହା ଗାଁ ଗୋଛାୟତ ସାହିରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ପରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ପାଣି ଜମି ରହି ଲୋକଙ୍କ ଘରେ ପଶିଛି। ଏ ନେଇ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସାହିର ଲୋକମାନେ ଆଜି ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ, ଗୋଛାୟତ ସାହିରେ ପ୍ରାୟ ୬୦ ପରିବାର ରହୁଛନ୍ତି। ସାହିରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ। ଘରେ ବର୍ଷା ପାଣି ପଶିବା ସହ କୂଅ ବି ଭର୍ତ୍ତି ହୋଇଯାଇଛି। ଫଳରେ ବଲାସିଂହା ଗୋଚ୍ଛାୟତ ସାହିର ଲୋକମାନେ ଦୁଇ ସପ୍ତାହ ହେଲା ପିଇବା ପାଣି ପାଇପାରୁନାହାନ୍ତି। ଜଳ ନିଷ୍କାସନ ବ୍ୟବସ୍ଥା କରିବା ଦାବିରେ ଆଜି ସାହିର ଲୋକେ ୩ ଘଣ୍ଟା ଧରି ଛେଳିଆପଡା- ବସଲା ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଅନୁଗୁଳ ସଦର ପୋଲିସ ଓ ସ୍ଥାନୀୟ ସରପଞ୍ଚ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହ ଡ୍ରେନେଜ ବ୍ୟବସ୍ଥା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।