ମୁଖ୍ୟ ଖବର

ବିଭିନ୍ନ ସମସ୍ୟାକୁ ନେଇ ଏମସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ଗ୍ରାମବାସୀ, ୧୫ ଦିନ ଭିତରେ ସମାଧାନ ପାଇଁ ପ୍ରତିଶ୍ରୁତି

By Angul TV Bureau

June 11, 2024

 

ତାଳଚେର: ଏମସିଏଲ ଦ୍ୱାରା କ୍ଷତିଗ୍ରସ୍ତ ତାଳଚେର ବ୍ଲକ ବ୍ରଜନାଥପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ଏମସିଏଲ ଜଗନ୍ନାଥ କ୍ଷେତ୍ରର କନଫରେନ୍ସ ହଲରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏମସିଏଲର ବୈଷୟିକ ନିର୍ଦ୍ଦେଶକ ଯୁଗଳ କିଶୋର ବୋରା, ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଏ.କେ ଧଳ, ଭୁବନେଶ୍ୱରୀ କ୍ଷେତ୍ରର ମହାପ୍ରବନ୍ଧକ ଏ.କେ ସିଂହ, ଏମସିଏଲର ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ରଘୁନାଥପୁର ଗ୍ରାମବାସୀ ଉପସ୍ଥିତ ଥିଲେ।

ବୈଠକରେ ଏମସିଏଲର ଖଣି ଖନନ କାର୍ଯ୍ୟ ଯୋଗୁଁ ରଘୁନାଥପୁର ଗ୍ରାମବାସୀଙ୍କର ହେଉଥିବା ବିଭିନ୍ନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଆଲୋଚନା ହୋଇଥିଲା। ବ୍ଲାଷ୍ଟିଂ ଯୋଗୁଁ ଘର ଭାଙ୍ଗିବା, ଗ୍ରାମ ପୋଖରୀ ଓ କୂଅରେ ପାଣି ନ ରହିବା, ଗ୍ରାମର ଜଳ ସଂପୂର୍ଣ୍ଣ ରୂପେ ଜଳବାୟୁ ଏବଂ ପରିବେଶ ପ୍ରଦୂଷିତ ହେବା, ଜଳର ସ୍ତର କମିଯିବା ଆଦି ସମସ୍ୟା ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏଥିସହ ଏମସିଏଲ ତରଫରୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କୌଣସି ନିଯୁକ୍ତି ଏବଂ ଥଇଥାନ ବ୍ୟବସ୍ଥା କରା ନଯିବା ଏବଂ ଅନେକ ଦିନରୁ ଗ୍ରାମର ସମସ୍ୟାଗୁଡ଼ିକୁ ନେଇ ବାରମ୍ବାର ଅଭିଯୋଗ କରିବା ପରେ ବି ଏମସିଏଲ ତରଫରୁ କୌଣସି ସମାଧାନ କରାନଯିବା ଆଦି ବିଷୟରେ ଆଲୋଚନା ହେଇଥିଲା। ତେବେ ବୈଠକରେ ୧୫ ଦିନ ଭିତରେ ଏହାର ଯଥାସମ୍ଭବ ସମାଧାନ କରାଯିବ ବୋଲି ଏମସିଏଲ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି।