ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ତେନ୍ତୁଳିହତା ସାହିର କଲ୍ୟାଣ ନାଏକ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ସୂଚନା ଯେ, ପାରିବାରିକ କଳହରୁ ଗୁରୁବାର ସକାଳେ କଲ୍ୟାଣ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ମିଲି ନାଏକ(୩୨)ଙ୍କୁ ଆକ୍ରମଣ କରିଛନ୍ତି। ଫଳରେ ମିଲିଙ୍କ ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି। ସାହିଲୋକମାନେ ଗୁରୁତର ଅବସ୍ଥାରେ ମିଲିଙ୍କୁ ବଅଁରପାଳର ଏକ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରିଛନ୍ତି। ଖବର ପାଇ ମିଲିଙ୍କ ଭାଇ ଓ ପରିବାର ଲୋକ ପହଞ୍ଚିଛନ୍ତି। ଏ ନେଇ ମିଲିଙ୍କ ଭାଇ ଖୁଜାରୁ ନାଏକ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଥାନା କେସ ନଂ ୧୫୮/୨୨ରେ ଦଫା ୩୨୩, ୩୨୫, ୩୦୭, ୫୦୬ ଓ ୪୯୮(ଏ)ରେ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।