ଅନୁଗୁଳ: ରାତି ଅଧରେ ଘରେ ପଶି ଟଙ୍କା କଳାକନା ବୁଲାଇଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳୀ ପଞ୍ଚାୟତର କଙ୍କିଳୀ ନୂଆଁସାହି ଗ୍ରାମରେ ଗତକାଲି ଏହି ଚୋରି ହୋଇଛି। ଗାଁର ବିଜୟ ସାହୁଙ୍କ ଘରେ କେହି ନଥିବା ବେଳେ ତାଙ୍କ ଘରର ତାଲା ଭାଙ୍ଗି ଟଙ୍କା ସୁନା ଏବଂ ଅନେକ ପିତ୍ତଳ ଜିନିଷ ରାତି ଅଧରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ବିଜୟ ସାହୁଙ୍କ କହିବା ଅନୁସାରେ, ସେ ବ୍ୟବସାୟ ପାଇଁ ଅନେକ ଦିନ ଧରି ଗୁରୁଜାଙ୍ଗ ଗ୍ରାମରେ ରହି ଆସୁଛନ୍ତି। ମଝିରେ ମଝିରେ ସେ ଗାଁକୁ ବୁଲିବାକୁ ଆସନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ରାତିରେ ଦୁର୍ବୃତ୍ତମାନେ ପ୍ରଥମେ ଘରର ତାଲା ଭାଙ୍ଗି ଘର ଭିତରେ ପଶି ଆଲମିରା ଭାଙ୍ଗି ସେଥିରେ ଥିବା ଟଙ୍କା ସୁନା ଲୁଟି ଚଂପଟ ମାରିଥିଲେ। ସକାଳେ ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ସେ ଆସି ଦେଖିବାରୁ ଘରୁ ମୂଲ୍ୟବାନ ସାମଗ୍ରୀ ଆଦି ଲୁଟ ହୋଇଥିବା ଜାଣିଥିଲେ। ଏନେଇ ବିଜୟ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।