ଘଟଣା ଓ ଦୁର୍ଘଟଣା

ବୁଢ଼ାପଙ୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୋରି, ତାଲା ଭାଙ୍ଗି ଉପକରଣ ନେଇଗଲେ ଦୁର୍ବୃତ୍ତ

By Angul TV Bureau

September 23, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି ହୋଇଛି। ଶନିବାର ସନ୍ଧ୍ୟାରେ କର୍ମଚାରୀମାନେ କେନ୍ଦ୍ର ବନ୍ଦ କରି ଘରକୁ ଯାଇଥିଲେ। ରବିବାର ଛୁଟି ପରେ ସୋମବାର କେନ୍ଦ୍ର ଖୋଲିବା ବେଳେ ମୁଖ୍ୟ ଗେଟ୍‌ର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ।

କେନ୍ଦ୍ର ଭିତରେ ସାମଗ୍ରୀ ଏଣେତେଣେ ପଡ଼ିଥିବା ବେଳେ ଇନଭର୍ଟର, ବ୍ୟାଟେରି, କମ୍ପ୍ୟୁଟର ମନିଟର, ବିପି ମେସିନ୍, ଏଚ୍‌ବି ମେସିନ୍, ଗ୍ଲୁକୋମିଟର, ଆକ୍ୱାଗାର୍ଡ, ଓଜନ ମେସିନ୍, ପ୍ରିଣ୍ଟର ଓ ଚେୟାର ଆଦି ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ କିଛି ଚିକିତ୍ସା ଉପକରଣ ଭାଙ୍ଗିବା ସହ ଡାଇଗ୍ନୋଷ୍ଟିକ୍ କିଟ୍ ଓ ଖାତାବହି ଫିଙ୍ଗି ଦେଇଥିଲେ। ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ପହଞ୍ଚି ତଦନ୍ତ କରିଛନ୍ତି। ଚୋରି ଯୋଗୁଁ ସୋମବାର ଚିକିତ୍ସା ପାଇଁ ଆସିଥିବା ରୋଗୀ ହଇରାଣ ହୋଇ ଫେରିଥିଲେ।