ମୁଖ୍ୟ ଖବର

ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ଢିଲା, ଦୁଇ ଦିନରେ ଦୁଇଥର ଚୋରି ଅଭିଯୋଗ;ସିସିଟିଭିରେ ଚୋର କଏଦ

By Angul TV Bureau

April 07, 2025

ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୁଣି ଚୋରି। ଗତ ଦୁଇ ଦିନ ହେଲା କଲେଜରେ ଚୋରି ହେଉଥିବା ନେଇ କର୍ତ୍ତୃପକ୍ଷ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏସିର ତମ୍ବା ପାଇପ ଗୁଡିକ କାଟି ନେବା ସହ ଚୋର ପାଣି ଟ୍ୟାପ ଗୁଡିକୁ ମଧ୍ୟ ନେଇଯାଇଛନ୍ତି। ଏଣୁ ସୋମବାର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଇ-ଭାଲୁଏସନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ସିସିଟିଭିରେ ଚୋର କଏଦ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଗତ ୫ ତାରିଖ ରାତି ପ୍ରାୟ ୧.୩୮ସମୟରେ ଜଣେ ବ୍ୟକ୍ତି କଲେଜ ଭିତରକୁ ପଶିଥିବା ସିସିଟିଭିରେ ଦେଖାଯାଇଛି। ସେହି ବ୍ୟକ୍ତି ୩.୨୮ ସମୟରେ କାନ୍ଧରେ ତମ୍ବା ପାଇପ ଗୁଡିକୁ ଧରି କଲେଜ ମଧ୍ୟରୁ ବାହାରିଯାଉଛି। ପୁନଃ ୬ ତାରିଖ ରାତି ୧.୧୨ ସମୟରେ ଦୁଇଜଣ ବ୍ୟକ୍ତି ମୁହଁରେ ଗାମୁଛା ବାନ୍ଧି କଲେଜ ମଧ୍ୟକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।ତେବେ ଆଜି ସକାଳେ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଇ- ଭ୍ୟାଲୁଏସନ ଚାଲିଥିବା ବେଳେ କମ୍ପ୍ୟୁଟର ସାଇନ୍ସ ବିଭାଗର ଏସି ଲାଗି ନଥିଲା। ଦେଖିବା ବେଳକୁ ଏସି ପାଇପ ଗୁଡିକ କେହି କାଟି ନେଇଥିବା ଜଣାପଡ଼ିଥିଲା। ଏପରିକି ନୂଆକୋଠା, ପୁରୁଣା କୋଠା, ୫ଟି କୋଠାରେ ଥିବା ଶୌଚାଳୟ ମଧ୍ୟରେ ଥିବା ଷ୍ଟିଲ ଟ୍ୟାପ ଗୁଡିକ ଖୋଲି ନେଇଛନ୍ତି। କେତେକ ଏସିର ଆଉଟ ଡୋର ମେସିନ ଗୁଡିକ କାଟି ତଳକୁ ବି ଫୋପାଡ଼ି ଦେଇଥିବା ଦେଖାଯାଇଛି।

ଏନେଇ କଲେଜ ପକ୍ଷରୁ ମଧ୍ୟାହ୍ନରେ ଅନୁଗୁଳ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ତେବେ କଲେଜରେ ଜଣେ ମାତ୍ର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏଣୁ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଚୋର ପଶିଥିବା କୁହାଯାଉଛି।