ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ବାବା ଭୋଲେଶ୍ୱର ମହାଦେବ ମନ୍ଦିରରୁ ହୁଣ୍ଡି ଦାନବାକ୍ସ ଭାଙ୍ଗି ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଗ୍ରିଲ୍ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ହୁଣ୍ଡି ଦାନବାକ୍ସ ଭାଙ୍ଗି ଦାନ ଅର୍ଥ ଲୁଟି ନେଇଥିଲେ।
ମଙ୍ଗଳବାର ମନ୍ଦିର ପରିଚାଳନା କମିଟି ଓ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶରତ କୁମାର ଗଡ଼ନାୟକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବରୁ ମଧ୍ୟ ଏଠାରେ ଚୋରି ଉଦ୍ୟମ ହୋଇଥିବା ଜଣାପଡ଼ିଛି। ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।