ଘଟଣା ଓ ଦୁର୍ଘଟଣା

ଅନୁଗୁଳରେ ଚୋରଙ୍କ ଦୌରାତ୍ମ୍ୟ: ଫ୍ଲିପକାର୍ଟ ହବ୍‌ରେ ଚୋରୀ, ୭୩ ହଜାର ଟଙ୍କା ସହ ସିସିଟିଭି ହାର୍ଡ଼ଡିସ୍କ ଲୁଟ୍

By Angul TV Bureau

September 24, 2025

ଅନୁଗୁଳ: ଅନୁଗୁଳ ସହରରେ ଚୋରଙ୍କ ଦୌରାତ୍ମ୍ୟ ଜାରି ରହିଛି। ହେମସୁରପଡା ସ୍ଥିତ ଫ୍ଲିପକାର୍ଟ ହବ୍‌ରୁ ରବିବାର ରାତିରେ ଦୁର୍ବୃତ୍ତମାନେ ବଡ଼ ଧରଣର ଚୋରୀ କରିଛନ୍ତି। ତାଲା ଭାଙ୍ଗି ଓ ସଟର ତୋଡ଼ି ଦୁର୍ବୃତ୍ତମାନେ ଲକର ରୁମରୁ ୭୩ ହଜାର ଟଙ୍କା ସହ ସିସିଟିଭିର ହାର୍ଡ଼ଡିସ୍କ ଚୋରି କରି ଫେରାର ହୋଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ରବିବାର ରାତି ସାଢ଼େ ୯ଟା ସମୟରେ ଫ୍ଲିପକାର୍ଟ ହବ୍‌ର କର୍ମଚାରୀମାନେ ତିନୋଟି ଫାଟକରେ ତାଲା ଲଗାଇ ଘରକୁ ଫେରିଥିଲେ। କିନ୍ତୁ ସକାଳେ କର୍ମଚାରୀମାନେ ହବ୍‌ରେ ପହଞ୍ଚି ଦେଖିବା ବେଳକୁ ସଟର ଓ ତାଲା ଭଙ୍ଗା ଅବସ୍ଥାରେ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବାରୁ ଲକର ରୁମରୁ ୭୩ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା। ଏହାସହ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ସିସିଟିଭିର ହାର୍ଡ଼ଡିସ୍କ ମଧ୍ୟ ଚୋରି କରି ନେଇଥିବା ଜଣାପଡ଼ିଛି।

ଏନେଇ ଫ୍ଲିପକାର୍ଟ ହବ୍‌ ପକ୍ଷରୁ ଲିଖିତ ଅଭିଯୋଗ ପରେ ଅନୁଗୁଳ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରଖିଛି। ଏହି ଘଟଣା ସହରରେ ଭୟ ସୃଷ୍ଟି କରିଥିବା ବେଳେ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।