ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀରେ ପୁଣି ଥରେ ଚୋରି ହୋଇଛି। ଫଳରେ ପୂରା କଲୋନୀରେ ଆତଙ୍କ ସହ ଭୟର ବାତାବରଣ ଦେଖା ଦେଇଛି।
ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ନାଲକୋ ସରସ୍ବତୀ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଡ. ଶତ୍ରୁଘ୍ନ ବେହେରାଙ୍କ କ୍ଵାର୍ଟର ଡି /୯୧ରୁ ୨ ଟି ସୁନା ହାର, କାନ ଫୁଲ, ସୁନାଚୁଡି ଚୋରି ହୋଇଥିବା ନେଇ ସେ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି। ଚୋରି ଗହଣାର ମୂଲ୍ୟ ଛଅ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ବେହେରା କହିଛନ୍ତି।
ତେବେ ପୂର୍ବରୁ ମଧ୍ୟ ଏହି କଲୋନୀରେ ଚୋରି ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ମଧ୍ୟ ସେ ତୁରନ୍ତ ଜାମିନ ପାଇଥିଲା। ତେବେ ବାରମ୍ବାର ଚୋରି ବଢ଼ୁଥିବାରୁ ଲୋକମାନେ କଲୋନୀରେ ଅସୁରକ୍ଷିତ ମଣୁ ଥିବା ଜଣାଯାଇଛି। ଏହା ଉପରେ ନାଲକୋ ପୋଲିସ ଗୁରୁତ୍ୱ ଦେବାକୁ ଦାବି ହେଉଛି।