ଅନୁଗୁଳ: ପାଳଲହଡ଼ା ଥାନା ରାଇପାଳ ଗାଁ ଛକରେ ଥିବା ବୀରବର ବାରିକଙ୍କ ସେଲୁନରୁ ଜିନିଷପତ୍ର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୀରବର ଏ ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ବୀରବରଙ୍କୁ ପୂର୍ବରୁ ବୀର ନାଏକ ଓ କାର୍ତ୍ତିକ ସାମଲ ନାମକ ୨ ଜଣ ବ୍ୟକ୍ତି କୌଣସି କାରଣରୁ ଧମକ ଦେଇଥିଲେ। ସେ ଦୁହେଁ ଗତ ୨୨ ତାରିଖ ରାତିରେ ସେଲୁନ କବାଟ ଭାଙ୍ଗି ଜିନିଷପତ୍ର ଓ ୧୨ ହଜାର ଟଙ୍କା ଚୋରାଇ ନେଇଛନ୍ତି ବୋଲି ବୀରବର ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୁକ୍ତ ଫେରାର ଅଛନ୍ତି, ଉଭୟଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ କିଶୋର ସାମଲ ପ୍ରକାଶ କରିଛନ୍ତି।