ଅନୁଗୁଳ: ଚୋରି କରିବାର ତରିକା ଯେତିକି ଅଭିନବ, ଚୋରି ମାଲ୍ ଫେରାଇବାର ଅନ୍ଦାଜ ସେତିକି ନିଆରା। ଅନୁଗୁଳ ସହରର ସରକାରୀ ଶାଢ଼ି ଶୋ’ରୁମ୍ ‘ବୟନିକା’ରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ଶାଢ଼ି ଶେଷରେ କୋରିଅର ଯୋଗେ ଦୋକାନକୁ ଫେରିଛି। ଗତ ମାସ ୧୧ ତାରିଖରେ କିଛି ମହିଳା ଏକ ଦାମୀ କାରରେ ଆସି ଗ୍ରାହକ ସାଜି ଶୋ’ରୁମରୁ ପ୍ରାୟ ୭ ଲକ୍ଷ ଟଙ୍କାର ୨୫ଟି ଦାମୀ ଶାଢ଼ି ଚୋରି କରି ନେଇଥିଲେ।
ଏହି ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଭିଡିଓଟି ବେଶ୍ ଭାଇରାଲ୍ ହୋଇଥିଲା। ପୋଲିସର ତନାଘନା ଓ ଲୋକଲଜ୍ଜା ଭୟରେ ଚୋର ଦଳ ଶେଷରେ ଭୁଲ ସ୍ୱୀକାର କରିଛନ୍ତି। ସେମାନେ ଫୋନ୍ ଯୋଗେ ଶୋ’ରୁମ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଠିକଣା ମାଗିଥିଲେ ଏବଂ ସମସ୍ତ ଶାଢ଼ିକୁ କୋରିଅର ମାଧ୍ୟମରେ ଫେରାଇ ଦେଇଛନ୍ତି।
ଶାଢ଼ି ଫେରି ପାଇବା ପରେ ଶୋ’ରୁମ୍ ମ୍ୟାନେଜର ଖୁସି ପ୍ରକାଶ କରିଛନ୍ତି। ତେବେ ଚୋରି କରି ପରେ ସାମଗ୍ରୀ ଫେରାଇ ଦେଲେ ଅପରାଧ ମାଫ୍ ହୋଇଯିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ମ୍ୟାନେଜରଙ୍କ କହିବା ଅନୁସାରେ, ଶାଢ଼ି ମିଳିଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।